କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ
pragyansila bureau | 14 Jul 2025 | 6 min read | 10 views
କେନ୍ଦ୍ରାପଡ଼ା ( ପି.ଏନ. ଏସ ) : କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ଯାତ୍ରା କମିଟି ସଙ୍ଘ ସଭାପତି ମିହିର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ ଯୋଗ ଦେଇଥିଲେ ! ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ନାଟ୍ୟକାର ତୁଷାରକାନ୍ତ ଘୋଷ,ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ଶର୍ମା,ଯାତ୍ରା କମିଟି ସଙ୍ଘ ସମ୍ପାଦକ ବୈକୁଣ୍ଠନାଥ ପରିଡା,ଯାତ୍ରା କମିଟି ସଙ୍ଘ ଉପ-ସଭାପତି ସଂଗ୍ରାମ କେଶରୀ ମହାପାତ୍ର,ଜିଲ୍ଲା ଯାତ୍ରା କମିଟି କୋଷାଧ୍ୟକ୍ଷ ଗଣେଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ! ପ୍ରଥମେ ସମସ୍ତ ଅତିଥି ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ! ଏହି ବାର୍ଷିକ ଉତ୍ସବରେ ଜିଲ୍ଲାର ୯ଟି ବ୍ଲକରେ ଥିବା ଯାତ୍ରା କମିଟି ଗୁଡିକରୁ ଅନେକ ସଭାପତି,ସମ୍ପାଦକ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ! ଯାତ୍ରା ପାର୍ଟି ଗୁଡିକର ଅହେତୁକ ଦରବୃଦ୍ଧି ପାଁଇ ଗ୍ରାମାଞ୍ଚଳରେ ଯାତ୍ରା କରିବା କଷ୍ଟକର ବ୍ୟାପାର ହୋଇପଡିଛି ! ତେଣୁ ଆଗାମୀ ଦିନରେ ଯଦି ଯାତ୍ରା ପାର୍ଟି ସେମାନଙ୍କର ବର୍ଦ୍ଧିତ ଦେୟକୁ କମ ନକରନ୍ତି ତେବେ ବହୁ କମିଟି ଯାତ୍ରା କରିବାରୁ ବଞ୍ଚିତ ହେବେ ଯାହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ! ତେଣୁ ଜିଲ୍ଲାରେ ଥିବା ସମସ୍ତ ଯାତ୍ରା କମିଟି ଏକଜୁଟ ହୋଇ ରହିଲେ ଯାତ୍ରାକୁ ନେଇ ଦେଖାଯାଉଥିବା ଅନିଶ୍ଚିତତା ରୋକାଯାଇ ପାରିବ ବୋଲି ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ |
