ଜନ୍ମବେଦୀରୁ ଲେଉଟି ରତ୍ନ ସିଂହାସନରେ ବିଜେ କଲେ ମହାପ୍ରଭୁ
pragyansila bureau | 10 Jul 2025 | 14 min read | 8 views
କେନ୍ଦ୍ରାପଡ଼ା ( ପି.ଏନ. ଏସ ) : ଜନ୍ମବେଦୀରୁ ଲେଉଟି ରତ୍ନ ସିଂହାସନକୁ ବିଜେ କଲେ ମହାପ୍ରଭୁ ବଳଦେବଜୀଉଙ୍କ ସହ ଭାଇ ଭଉଣୀ ଓ ଶ୍ରୀ ସୁଦର୍ଶନ।ମଙ୍ଗଳବାର ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଘୁନାଥ ବେଶରେ ମହାପ୍ରଭୁ ଦର୍ଶନ ଦେବା ପରେ ରାତି ୯ଟାରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା।ସେବାୟତମାନେ ଶ୍ରୀଜୀଉମାନଙ୍କ ନିକଟରେ ଅଧରପଣା ଲାଗି କରିବା ପରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ମହଲରେ ଉତ୍ସାହ ଦେଖା ଯାଇଥିଲା। ଏହାପରେ ଶ୍ରୀଜୀଉଙ୍କ ରଘୁନାଥ ବେଶ ଖୋଲାଯାଇ ମୁଖ୍ୟ ମନ୍ଦିରରୁ ଟାହିଆ ଆଦି ଆସିବା ପରେ ରଥ ଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ବଡ଼ଧୂପ ବା ବିଭୀଷଣ ଆଳତି କରାଯାଇ ପରେ ଧାଡି ପହଣ୍ଡିରେ ବାସୁକି ନାଗ ଠାଣିରେ କେନ୍ଦ୍ରାପଡାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ, ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ବିଜେପଣ୍ଡା ସେବାୟତ ମାନେ ପହଣ୍ଡି କରି ମୁଖ୍ୟ ମନ୍ଦିରକୁ ଆଣିଥିଲେ।ଏହି ପହଣ୍ଡି କାର୍ଯ୍ୟକ୍ରମ ରାତ୍ର ସାଢ଼େ ୯ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତ୍ର ଗୋଟାଏ ପର୍ଯ୍ୟନ୍ତ ଚାଲିଥିବା ବେଳେ ମହାପ୍ରଭୁ ପହଣ୍ଡି ହୋଇ ନୀଳାଦ୍ରି ବିଜେ କରି ରତ୍ନ ସିଂହାସନକୁ ଯିବା ପର୍ଯ୍ୟନ୍ତ ଅପଲକ ନୟନରେ ଏହାକୁ ଦର୍ଶନ କରିଥିଲେ ହଜାର ହଜାର ଭକ୍ତ। ୯ ଦିନର ଘୋଷଯାତ୍ରା ସାରି ଭାଇ ଭଉଣୀଙ୍କୁ ଧରି ରତ୍ନ ସିଂହାସନକୁ ଫେରିଛନ୍ତି ଜଗତକର୍ତ୍ତା। ଲୀଳାମୟଙ୍କୁ ରଥାରୂଢ ହେବାର ଦେଖି ଭକ୍ତଟିର ଚର୍ମଚକ୍ଷୁ ପବିତ୍ର ହୋଇଛି। ରାତିରେ କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ ବ୍ରହ୍ମ ତାଳଧ୍ଵଜ ରଥରୁ ବଡ ଦେଉଳକୁ ଫେରିବା ପରେ ଶେଷ ହୋଇଛି ଘୋଷଯାତ୍ରା ଆଉ ଭକ୍ତ କରିଛି "ସର୍ବେ ଭବନ୍ତୁ ସୁଖିନଃ" ଓ "ସର୍ବଜନ ହିତାୟ ପ୍ରାର୍ଥନା।"ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ଦୀର୍ଘ ୯ ଦିନର ଘୋଷଯାତ୍ରା ସାଙ୍ଗକୁ ରୁପା ଅଳଙ୍କାରରେ ରଘୁନାଥ ବେଶ ଓ ଅଶରିରୀ ମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭଳି ନୀତିକୁ ମିଶାଇ ୧୨ ଦିନ ପରେ ରତ୍ନ ସିଂହାସନକୁ ବିଜେ କରିଛନ୍ତି ଆରାଧ୍ୟ ମହାପ୍ରଭୂ ବଳଦେବଜୀଉଙ୍କ ସମେତ ପ୍ରଭୁ ଜଗନ୍ନାଥ, ଦେବୀ ମା'ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ।ବିଳମ୍ବିତ ରାତିରେ ମହାପ୍ରଭୁ ବ୍ରହ୍ମ ତାଳଧ୍ଵଜ ରଥରୁ ଓହ୍ଲାଇ ଶ୍ରୀମନ୍ଦିରକୁ ବିଜେ କରିବା ଦୃଶ୍ୟକୁ ଅପଲକ ନୟନରେ ଚାହିଁ ଦର୍ଶନ କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁ।ଏକଦା ବିଶ୍ୱର ସର୍ବ ବୃହତ ରଥ ବୋଲାଉଥିବା ବ୍ରହ୍ମ ତାଳଧ୍ୱଜ ରଥ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇ ନିଜକୁ ଧନ୍ୟ ମଣିଛି।ମଙ୍ଗଳବାର ମଧ୍ୟାହ୍ନରେ ରୀତିନୀତି ଅନୁଯାୟୀ ରଘୁନାଥ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହିବର୍ଷ ଚତୁର୍ଥ ଥର ପାଇଁ ପାଖାପାଖି ସାଢ଼େ ତିନିରୁ ସାଢ଼େ ପାଞ୍ଚ କ୍ୱିଣ୍ଟାଲ ରୂପାର ଅଳଙ୍କାର ପିନ୍ଧି ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି। କିମ୍ବଦନ୍ତୀ ଅନୁସାରେ, ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀଜୀଉ ମାନଙ୍କ ସୁନାବେଶ ନଥିବା କାରଣରୁ ରଘୁନାଥ ବେଶରେ ପ୍ରଭୁଙ୍କୁ ସଜା ଯାଇଥାଏ। ଏଥିସହ ରଥରୁ ଅବତରଣ ସମୟରେ ତିନିଠାକୁରଙ୍କ ଧାଡି ପହଣ୍ଡି ଅନୁଷ୍ଠିତ ହେଉଥିବା ବେଳେ ଚାର ଉପରେ ସେବାୟତ ମାନଙ୍କ ଦ୍ୱାରା ଦୁଇଟି ଫୁଲ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ।ଅନ୍ୟପଟେ ରଥଯାତ୍ରା ସମୟରେ ସେବାକାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତଙ୍କୁ ପୁଷ୍ପହାର,ଉପଢୌକନ ଏବଂ ଶିରପ୍ପା ଦିଆଯାଇ ସମ୍ବର୍ଦ୍ଧିତ କରିବା ସହ ଶେଷ ହୋଇଥିଲା ଶିରପ୍ପା ବଣ୍ଟନ ବିଧି ଓ ଅନ୍ନଳି ଭୋଗ ବଣ୍ଟନ ବିଧି। ଧାଡି ପହଣ୍ଡିରେ ଶ୍ରୀଜୀଉ ମାନଙ୍କୁ ନିଆ ଯାଉଥିବା ବେଳେ ପ୍ରଥମେ ମହାପ୍ରଭୁ ବଳଦେବଜୀଉ,ପରେ ଭଗିନୀ ସୁଭଦ୍ରା ରତ୍ନ ସିଂହାସନକୁ ଯିବା ପରେ ମଝି ଦେଉଳରେ ଜଗନ୍ନାଥଙ୍କ ବାଟ ଓଗାଳି କବାଟ କିଳିଥିଲେ ଅଭିମାନୀ ଧନଦାତ୍ରୀ ମା'ଲକ୍ଷ୍ମୀ।ଏହାପରେ ଉଭୟ ପାର୍ଶ୍ବରୁ ପରମ୍ପରା ଅନୁଯାୟୀ ବଚନିକା ପାଠ ସହ ମହାଲକ୍ଷ୍ମୀଙ୍କୁ ମାଲପୁଆ ଦେଇ ମାନଭଞ୍ଜନ କରିଥିଲେ ପ୍ରଭୁ କଳାଠାକୁର ।
