Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପରଲୋକରେ କେନ୍ଦ୍ରାପଡ଼ାର କମଳା ମାଉସୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପଠାଉଥିଲେ ରାକ୍ଷୀ

Bureau report | 03 Jun 2025 | 15 min read | 9 views

କେନ୍ଦ୍ରାପଡ଼ା ( ପି.ଏନ. ଏସ ) : କେନ୍ଦ୍ରାପଡ଼ା ରୁ କିଏ ଆଉ ରାକ୍ଷୀ ପଠାଇବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ l ରାକ୍ଷୀ ପଠାନ୍ତି କମଳା ମହାରଣା l ହେଲେ ଆଜି ଆଉ ରାକ୍ଷୀ ପଠାଇବାକୁ ଇହଧାମରେ ନାଁହାନ୍ତି କମଳା l ପରଲୋକରେ କମଳା ମାଉସୀ। କମଳା ଙ୍କ ପାଇଁ ଆଜି କାନ୍ଦୁଛି ପରିବାର, କାନ୍ଦୁଛି, ଗାଁ ରୁ ସହର ଆଉ କାନ୍ଦୁଛନ୍ତି ସାରା ଖଇରାବାଦ ଗାଁର ମହିଳା ମଣ୍ଡଳ ସଦସ୍ୟ l ଆଜି ମଶାଣିରେ ଜଳୁଛି କମଳା ମାଉସୀଙ୍କ ଜୁଇ l ଆଜି କମଳା ମହାରଣା ଙ୍କ ଘର ଠାରୁ ମଶାଣି ଯାଏ ଲାଗିଛି ବିଜେପି ନେତାଙ୍କ ଭିଡ଼ | ୬୬ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୮ ତମ ମନ କି ବାତ ରେ ପ୍ରଶଂସିତ ହୋଇଥିବା କମଳା।

କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ ଖଇରାବାଦ ଗାଁର ଅନାବନା ଜରି ଓ ପ୍ଲାଷ୍ଟିକ ବ୍ୟବହାର କରି ବିଭିନ୍ନ ଘରକରଣା ଜିନିଷ ପ୍ରସ୍ତୁତ କରି ପରିଚୟ ପାଇଥିଲେ ଏହି ମହିଳା ଜଣଙ୍କ।
୨୦୨୩ ଫେବୃଆରୀ ମାସରେ ପ୍ରସାରଣ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୮ତମ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କମଳାଙ୍କ କାମକୁ ପ୍ରଶଂସା କରିଥିବା ବେଳେ କମଳା ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ବୋଲି କହି ତାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।ଏହାପରେ ତାଙ୍କ କାମକୁ ଛୋଟ ଭାବି ତାଙ୍କୁ ବିଭିନ୍ନ ସମୟରେ ଥଟ୍ଟା କରୁଥିବା ପରିବାର ସଦସ୍ୟଙ୍କ ସହ ଅନ୍ୟମାନଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ବଢିଥିଲା।

ଏଣେତେଣେ ପଡିଥିବା ପଲିଥିନକୁ ପୁନଃ ବ୍ୟବହାର କରି ସେଥିରୁ ଘର ସଜାଇବା ଭଳି ବିଭିନ୍ନ ସାମଗ୍ରୀ ତିଆରି କରିଥିଲେ ଯାହାକୁ ନେଇ କମଳା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।
ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କମଳାଙ୍କୁ ଭଉଣୀ ଆଖ୍ୟା ଦେଇଥିବାରୁ ୨୦୨୩ ଓ ୨୦୨୪ ମସିହା ରାକ୍ଷୀ ପୂର୍ଣ୍ଣିମା ପୁର୍ବରୁ କମଳା ପ୍ରଧାନମନ୍ତ୍ରୀଙ୍କୁ ଭାଇ ବୋଲି ବିଚାର କରି ତାଙ୍କ ଉଦ୍ଦେଶ୍ୟରେ ଏହି ଜରି ତିଆରି ରାକ୍ଷୀ ପଠାଇଥିଲେ।
ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ମୋଦୀଙ୍କ କେନ୍ଦ୍ରାପଡା ନିର୍ବାଚନ ପ୍ରଚାର ସମୟରେ କମଳାଙ୍କୁ ମଞ୍ଚ ଉପରକୁ ଡକା ଯାଇଥିବା ବେଳେ ସେ ମୋଦୀଙ୍କୁ ଆଣ୍ଠୁ ମାଡି ନମସ୍କାର ହେବାକୁ ଯାଉଥିବା ବେଳେ ପ୍ରତି ଜବାବରେ ମୋଦୀ ମଧ୍ୟ ତାଙ୍କୁ ନମସ୍କାର ହୋଇଥିଲେ ଯାହାକି ନିର୍ବାଚନ ସମୟରେ ମୋଦୀଙ୍କ ମାତୃ ବନ୍ଦନା କୁ ନେଇ ଖୁବ ଜୋରରେ ପ୍ରଚାର ପ୍ରସାର ହୋଇଥିଲା।
କମଳାଙ୍କ କାମକୁ ପ୍ରଶଂସା କରି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପ୍ୟାରେଡ଼ ଦେଖିବା ପାଇଁ ଦିଲ୍ଲୀ ଡାକରା ଆସିଥିଲା।ତେବେ ପ୍ରଥମେ ସେ ଦିଲ୍ଲୀ ଯିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଯାଇ ପାରିନଥିଲେ।
ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ତିକ୍ତତା ଓ ଭାରତୀୟ ନୌବାହିନୀ, ସ୍ଥଳ ସେନା ଓ ଆକାଶ ବାହିନୀ ମାନଙ୍କର ଲଢୁଆ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟ ମାନଙ୍କ ପାଇଁ ଅବିସ୍ମରଣୀୟ ଥିଲା।ତେବେ ଏହି ତିନି ସେନା ମୁଖ୍ୟଙ୍କୁ ପରିସ୍ଥିତି ମୁକାବିଲା ସହ ଅପରେସନ ସିନ୍ଦୁରର ସଫଳତା ପାଇଁ ଉପହାର ସ୍ବରୂପ ଖରି, ଜରି, ବେରୁହାଁ ଓ ପ୍ଲାଷ୍ଟିକ ରଶିରେ ତିଆରି ତିନୋଟି ଟୋପି ତିଆରି କରି ଏହାକୁ ଭାରତୀୟ ଡାକ ବିଭାଗ ଦ୍ଵାରା ସେମାନଙ୍କ ଠିକଣାରେ ପଠାଇଥିଲେ କମଳା।ଏଥିସହ ତିନୋଟି ବିଭାଗର ସୈନ୍ୟ ମାନଙ୍କ ସଫଳତା ଓ ଆଶୀର୍ବାଦ କାମନା କରି ତିନୋଟି ଚିଠି ମଧ୍ୟ ଦେଇଥିଲେ କମଳା।
ତେବେ କମଳା ମହାରଣା ଗତ ଗୁରୁବାର ଦିନ ଅସାବଧାନତା ବଶତଃ ଘରେ ପଡି ଯାଇଥିଲେ।ଏହାପରେ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ ପଠାଇଥିଲେ।ତେବେ ବଡ଼ ମେଡିକାଲରୁ ଉନ୍ନତ ଚିକିତ୍ସା ପାଇଁ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରୁ ଭେଣ୍ଟିଲେଟରରେ ଥିଲେ।ଗତକାଲି ରାତ୍ର ୧୦ ଟା ରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଖଇରାବାଦ ଗାଁରେ ପହଞ୍ଚିବା ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।