ନିମ୍ବ ଗଛରୁ ଝରୁଛି କ୍ଷୀର, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ଅଞ୍ଚଳ
pragyansila bureau | 22 Jun 2025 | 7 min read | 9 views
ଡେରାବିଶ ( ପି.ଏନ. ଏସ ) : ନିମ୍ବ ଗଛରୁ ଝରୁଛି କ୍ଷୀର, ହରିବୋଲ ହୁଳହୁଳି ରେ କମ୍ପୁଛି ଅଞ୍ଚଳ | କିଏ ଏହାକୁ ଦେଖି ମୁଣ୍ଡିଆ ମାରୁଛି ତ ଆଉ କିଏ ଭାବ ବିହୋଳ ହୋଇପଡୁଛି | ଏହା ଭଗବାନଙ୍କ ଲୀଳା ବୋଲି ଅନୁମାନ କରୁଛନ୍ତି ସ୍ଥାନୀୟ ବାସୀ | ଧାର ଧାର ହୋଇ କ୍ଷୀର ର ଧାରା ବୋହି ଚାଲିଛି | ଏହାକୁ ଦେଖିବାକୁ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି | ଯେତେ ଯେତେ ଲୋକଙ୍କ ଗହଳି ବଢୁଛି ସେତେ ସେତେ ଗଛ ରୁ କୁଆଡେ ଅଧିକ ଅଧିକ କ୍ଷୀର ବାହାରୁଛି | ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି | କିଏ କହୁଛି ଅଲୌକିକ ଘଟଣା ତ ପୁଣି କିଏ କହୁଛି ଠାକୁରଙ୍କ ମହିମା | ସୂଚନା ମୁତାବକ ଗତ ଶୁକ୍ରବାର ଦଶମୀ ତିଥି ରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୋଶିଆପାଳ ପଞ୍ଚାୟତ ଅଧିନସ୍ତ ଖସାପଡ଼ିଆ ରୁ ବାବୁ ରାମପାଟଣା ଯିବା ରାସ୍ତାର ମଧ୍ୟଭାଗରେ ଥିବା ଗୁରୁଜୀ ଗୌରାଙ୍ଗ ସାହୁଙ୍କ ବଗିଚାରେ ଥିବା ଏକ ବୃହତ ନିମ୍ବ ଗଛରୁ ଅନବରତ ବହି ଚାଲିଥିଲା | ଯାହାକୁ ରାସ୍ତାରେ ଯାଉଥିବା ଯାତ୍ରୀ ହୁଅନ୍ତୁ କି ଗ୍ରାମବାସୀ ଯିଏ ସେହି ରାସ୍ତା ଦେଇ ଯାଉଥିଲା ଟିକେ ଅଟକି ଯାଉଥିଲା ଏବଂ ମୁଣ୍ଡ ନୁଆଇଁ ପ୍ରଣାମ କରୁଥିଲା | ଏହି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ | ସବୁଠାରୁ ବଡ ଆଶ୍ଚର୍ଯ୍ୟ ର କଥା ହେଉଛି ସାଧାରଣତଃ ନିମ୍ବ ଗଛ ପିତା ହୋଇଥାଏ କିନ୍ତୁ ଗଛରୁ ଯେଉଁ କ୍ଷୀର ବାହାରୁଛି ତାହା କୁଆଡେ ମିଠା ଲାଗୁଛି କାହିଁକି ନା କ୍ଷୀର ଧାରରେ ପ୍ରବଳ ମାତ୍ରାରେ ଜନ୍ଦା ଓ ପିମ୍ପୁଡି ଲାଗିଛନ୍ତି | ତେବେ ଦିନକୁ ଦିନ ଏହି କ୍ଷୀର ବୋହିବାର ମାତ୍ରା ବଢ଼ିବାରେ ଲାଗିଛି |ଯିଏ ଏହି ରାସ୍ତା ଦେଇ ଯାଉଛି ସେ ପ୍ରଣାମ କରି ଭଗବାନଙ୍କ ମହିମା ବୋଲି କହୁଛି | ତେବେ କଣ ଏହାର ସତ୍ୟତା, ସତରେ କଣ ଏହା ଭଗବାନଙ୍କ ମହିମା ନା ଅନ୍ୟ କିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ |
