ସରକାରୀ ଯୋଜନା କାହାପାଇଁ, ଲୁହା ଶିକୁଳିରେ ବିତୁଛି ଜ୍ୟୋସ୍ନା ଜୀବନ ।
Alok Kumar Mohapatra | 19 Nov 2025 | 12 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ନଗରୀ ପାରାଦ୍ଵୀପ ପୌରପାଳିକା ର ନୂଆବଜାର ୧୪ ନମ୍ବର ୱାର୍ଡର ସଂଜୟ ଗାନ୍ଧି ବସ୍ତିରେ ରହୁଛନ୍ତି ନଳିନୀ ସ୍ବାଇଁ ଓ ତାଙ୍କ ପରିବାର। ଦିନ ଥିଲା ହସଖୁସିରେ ଚାଲୁଥିଲା ନଳିନୀଙ୍କ ସଂସାର। ଗୋଟିଏ ଛୋଟ ସାଇକେଲ ଦୋକାନ କରି ପ୍ରସନ୍ନ କୁମାର ସ୍ବାଇଁ ଛଅ ପ୍ରାଣୀଙ୍କ ମୁହଁରେ ଆହାର ଦେଇ ସଂସାର କୁ ଚଳେଇ ନେଉଥିଲେ । ମାତ୍ର ଆଜିକୁ ବର୍ଷେ ହୋଇଯିବ ହଠାତ ହୃତଘାତରେ ମୃତ୍ୟୁ ବରଣ କରିଥିଲେ ପ୍ରସନ୍ନ । ସତେ ଯେପରି ନଳିନୀ ଙ୍କ ମୁଣ୍ଡ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ। ସ୍ଵାମୀ ଙ୍କ ମୃତ୍ୟୁର ଦୁଇ ବର୍ଷ ପୂର୍ବରୁ ୨୦ ବର୍ଷୀୟା କଲେଜ ପଢୁଆ ଝିଅ ହଠାତ ମାନସିକ ବିକୃତ ହୋଇଗଲା । ଖାଲି ଏଣୁତେଣୁ ଗପି ବାହାରକୁ ଦୌଡିବାକୁ ଲାଗିଲା । ଦେହରେ ନିଆଁ ଲଗାଇବା ସହ ବସ୍ତ୍ର ମଧ୍ୟ ଦେହରେ ରଖିଲାନାହିଁ । ଝିଅର ଏଭଳି ଅବସ୍ଥା ଦେଖି ମା ନଳିନୀ ଯୋଗାଡ ଯନ୍ତ୍ର କରି ତାଙ୍କୁ କଟକ ମେଡିକାଲକୁ ନେଇଗଲେ, ପରୀକ୍ଷା, ନିରୀକ୍ଷା ପରେ ଝିଅର ଚିକିତ୍ସା ଆରମ୍ଭ ହେଲା । ମାତ୍ର ଝିଅ ଠାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ହେଲେ ଆହୁରି ଭଲ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ଶେଷରେ ନଳିନୀ ଝିଅର ଏଭଳି ଅବସ୍ଥାକୁ ଦେଖି ଲୁହା ଶିକୁଳିରେ ଗୋଡକୁ ବାନ୍ଧି ଦେଲେ । ଯେପରି ଝିଅ ଆଉ ବାହାରକୁ ଯାଇପାରିବ ନାହିଁ, ଆଉ ପରଘରେ କାମ କରି ଦିପଇସା ଆଣି ପାଞ୍ଚ ପ୍ରାଣୀଙ୍କ ମୁହଁରେ ଦିମୁଠା ଦାନା ଦେବାକୁ ଚେଷ୍ଟା କରୁଛି ବୋଲି କୋହ ଭରା କଣ୍ଠରେ କହିଛନ୍ତି ନଳିନୀ । ବାପା ଜୀବିତ ଥିବା ବେଳେ ବଡ ଝିଅ ଜ୍ୟୋସ୍ନା କଲେଜରେ ପାଠ ପଢ଼ୁଥିଲେ, ଭଲ ପାଠ ପଢୁଥିବାରୁ ଚାକିରୀ କରି ପରିବାରର ଦାୟିତ୍ବ ନେବେ ଏବଂ ସାନ ଭାଇ ଭଉଣୀଙ୍କୁ ଭଲ ମଣିଷ କରିବେ ବୋଲି କହୁଥିଲେ ହେଲେ ଓଲଟିଗଲା ସବୁକିଛି । ହଠାତ୍ ଜ୍ୟୋସ୍ନା ମାନସିକ ଭାରସାମ୍ୟ ହରାଇ ବସିଲେ । ଯିଏ ପରିବାର ର ଦାୟିତ୍ବ ନେବାକୁ ସ୍ବପ୍ନ ଦେଖୁଥିଲା, ଆଜି ସିଏ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି । ତାଙ୍କର ସେହି ସ୍ବପ୍ନ ଓ ଭବିଷ୍ୟତ ଆଜି ବନ୍ଧା ପଡ଼ିଛି ଲୁହା ଶିକୁଳି ରେ। ସରକାରଙ୍କ ଅନେକ ଯୋଜନା ଅଛି, ମାତ୍ର ଜରାଜୀର୍ଣ୍ଣ କୁଡ଼ିଆରେ ରହୁଥିବା ନଳିନୀଙ୍କ କ୍ଷେତ୍ରରେ Cbse ଯେପରି ସପ୍ନ ଓ ଅପହଞ୍ଚ ହୋଇଯାଇଛି । ନା ମାନସିକ ବିକୃତ ଝିଅକୁ ଭତ୍ତା ମିଳୁଛି ନା ନଳିନୀକୁ ବିଧବା ଭତ୍ତା । ଏଣେତେଣେ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି । ଅନ୍ୟପଟେ ଝିଅର ଏଭଳି ଅବସ୍ଥା ଦେଖି ସାହି ପଡିଶା କିଛି କିଛି ସାହାଯ୍ୟ କରୁଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ । ଝିଅ କେତେବେଳେ ବାଉଳି ଚାଉଳି ହେଉଛି ତ ଆଉ କେତେବେଳେ ସବୁକିଛି ଜାଣିପାରୁଛି, ଆଉ ସମସ୍ତଙ୍କୁ ଚିହ୍ନି ପାରୁଛି । ଯଦି ଉପଯୁକ୍ତ ଚିକିତ୍ସା ମିଳନ୍ତା ତେବେ ନିଶ୍ଚିନ୍ତ ଜ୍ୟୋତ୍ସ୍ନା ଭଲ ହୋଇପାରନ୍ତା ଆଉ ମା ର ସ୍ବପ୍ନକୁ ପୂରଣ କରିପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ଓ ପ୍ରକାଶ କରିଛନ୍ତି । ତେବେ ଝିଅ ଜ୍ୟୋତ୍ସ୍ନାକୁ ସୁସ୍ଥ କରିବା ସହ ତିନି ପୁଅଙ୍କୁ ମଣିଷ କରିବାକୁ ମାଆ ନଳିନୀ ସଂଗ୍ରାମ କରୁଥିବା ବେଳେ ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ମିଳିଲେ ଜ୍ୟୋତ୍ସ୍ନା ନୂଆ ଜୀବନ ପାଇ ତାର ଭବିଷ୍ୟତ ଗଢ଼ିବା ବା ସହ ତାର ପରିବାରରେ ଖୁସି ଫେରେଇ ଆଣିବ ବୋଲି ମା ନଳିନୀ ନିବେଦନ କରିଛନ୍ତି l
