ମାନବ ସେବା ହିଁ ମାଧବ ସେବାରେ ବ୍ରତୀ ସ୍ନେହମୟୀ : ୯ ଜଣ ମାନସିକ ଭିନ୍ନକ୍ଷମଙ୍କୁ ଉଦ୍ଧାର ଓ ଥଇଥାନ କରି ଉଦାହରଣ ସୃଷ୍ଟି କଲା ବ୍ୟାସ ଫାଉଣ୍ଡେସନ
Alok Kumar Mohapatra | 17 Nov 2025 | 12 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ଶିଳ୍ପ ସମୃଦ୍ଧ ବନ୍ଦର ନଗରୀ ପାରାଦ୍ଵୀପ ନିତ୍ୟ ଚଳଚଞ୍ଚଳ । ଦେଶ ବିଦେଶରୁ ବିଭିନ୍ନ ବ୍ୟବସାୟୀ , ଶିଳ୍ପପତି ଓ ପଦାଧିକାରୀ ବ୍ୟକ୍ତି ବିଶେଷ ସେମାନଙ୍କର ସାମଗ୍ରିକ ପ୍ରଚେଷ୍ଟା ଦ୍ଵାରା ପାରାଦ୍ଵୀପ ବନ୍ଦର ବିଶ୍ବସ୍ତରୀୟ ମାନ୍ୟତା ପାଇଛି । ପାରାଦ୍ଵୀପ ରେ ପ୍ରତିଦିନ ଅହେତୁକ ଭାବେ ମାନସିକ ଭିନ୍ନକ୍ଷମଙ୍କ ସଂଖ୍ୟା ଅନୁଦିନ ବୃଦ୍ଧି ପାଇବାରେ ଲାଗିଛି । କିଛି ବ୍ୟବସାୟୀ ତଥା ସାମାଜିକ କର୍ମୀ ଏମାନଙ୍କୁ ସାମୟିକ ଭାବେ ଖାଦ୍ୟ ପ୍ରଦାନ କରି ସେମାନଙ୍କ ଉଦାର ମାନସିକତାର ପରିଚୟ ଦେଇଛନ୍ତି । କିନ୍ତୁ ଏହି ମାନସିକ ଭିନ୍ନକ୍ଷମଙ୍କର ବଞ୍ଚିବା ଓ ଥଇଥାନ ନିମନ୍ତେ କୌଣସି ଆଖି ଦୃଶିଆ ପ୍ରତିକାର ବା ବ୍ୟବସ୍ଥା ପ୍ରଶାସନିକ ସ୍ତରରେ ଅଦ୍ୟାବଧି କରାଯାଇନାହିଁ । ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ତାଙ୍କର ଦୈନନ୍ଦିନ ବିବିଧ ସେବା କାର୍ଯ୍ୟ ମଧ୍ୟରେ ଏମାନଙ୍କୁ ଉଦ୍ଧାର ଓ ଥଇଥାନ କରିବା ପାଇଁ ସତେ ଯେମିତି କୃତ ସଂକଳ୍ପ । ସମ୍ଭବତଃ ଆଜକୁ ୫ ବର୍ଷ ହେବ ବିବିଧ ସମୟରେ ପାରାଦ୍ଵୀପ ଅଞ୍ଚଳରୁ ଶ୍ରୀମତୀ ଆଚାର୍ଯ୍ୟ ବିନା ସରକାରୀ ଓ ବେସରକାରୀ ସାହାଯ୍ୟରେ ନିଜ ବ୍ୟକ୍ତିଗତ ପ୍ରୟାସରେ ୫୦୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏମାନଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି, ଯାହା ତାଙ୍କୁ ବ୍ୟଥିତ କରିଛି । ପ୍ରଶାସନକୁ ଶ୍ରୀମତୀ ଆଚାର୍ଯ୍ୟ ପାରାଦ୍ଵୀପ ଅଞ୍ଚଳରେ ଏକ ଅସହାୟ କେନ୍ଦ୍ର ଓ ଏକ ସ୍ଵଧାର ଗୃହ ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ତାହା ଏବେବି ଅସମାହିତ ହୋଇରହିଛି । ପାରାଦ୍ଵୀପ ବସଷ୍ଟାଣ୍ଡ ଅଞ୍ଚଳରେ ଜନୈକ ମାନସିକ ବୃଦ୍ଧା (୮୫) ଦୀର୍ଘ ଦିନ ହେବ ଯେଉଁ ଭଳି ଭାବେ ନର୍କମୟ ପରିବେଶରେ ପଡ଼ି ରହିଥିଲେ ତାହା ଅନେକଙ୍କର ଦୃଷ୍ଟିପଥାରୁଢ଼ ହୋଇଥିଲେ ମଧ୍ୟ ଯୁବ ସମାଜସେବୀ ସହୃଦୟ ଶିଶିର କୁମାର କରଙ୍କୁ ବିବ୍ରତ କରିବା ସହ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀମତୀ ଆଚାର୍ଯ୍ୟ,ରଶ୍ମିତା ନାୟକ,ବିପିନ ମାଝୀ ,ସଂଗ୍ରାମ ନାୟକ ଓ ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ପାରାଦ୍ବୀପରେ ଉପସ୍ଥିତ ହୋଇ ଶିଶିର ବାବୁ ଓ ସାମ୍ବାଦିକ ବନ୍ଧୁଙ୍କ ସହାୟତାରେ ୯ ଜଣ ମାନସିକ ଭିନ୍ନକ୍ଷମଙ୍କୁ ଉଦ୍ଧାର କରି ନୀଳାଚଳ ସେବା ପ୍ରତିଷ୍ଠାନ କଣାସ , ପୁରୀ ଠାରେ ଥଇଥାନ କରିଥିଲେ । ନୀଳାଚଳ ସେବା ପ୍ରତିଷ୍ଠାନର ସତ୍ଵାଧିକାରୀ ସୁବାଷ ଚନ୍ଦ୍ର ଗଜେନ୍ଦ୍ର , କୃଷ୍ଣ ଚନ୍ଦ୍ର ନିଶଙ୍କ, ନିଗମାନନ୍ଦ ବାରିକ ପ୍ରମୁଖଙ୍କୁ ଏଭଳି ମହତ୍ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଶ୍ରୀମତୀ ଆଚାର୍ଯ୍ୟ ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ନୀଳାଚଳ ସେବା ପ୍ରତିଷ୍ଠାନର ସୁଦୀର୍ଘ ଭବିଷ୍ୟତ କାମନା କରିଛନ୍ତି । ଆଗାମୀ ଦିନରେ ଶ୍ରୀମତୀ ଆଚାର୍ଯ୍ୟ ଏହି ମାନସିକ ଭିନ୍ନକ୍ଷମଙ୍କ ପ୍ରତି ତାଙ୍କର ଏଭଳି ଉଦାର ମନୋବୃତି ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ବିନା ସହଯୋଗରେ ନିଜ ପ୍ରଚେଷ୍ଟାରେ ମାନବ ସେବାହିଁ ମାଧବ ସେବାରେ ବ୍ରତୀ ସ୍ନେହମୟୀ ଙ୍କ ନିରବଛିନ୍ନ ସେବା କାର୍ଯ୍ୟ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l ତେବେ ତାଙ୍କର ଏହି ମହତ କାର୍ଯ୍ୟରେ ସରକାରୀ ପ୍ରଶାସନ ଙ୍କ ସମେତ ପାରାଦୀପର ଶିଳ୍ପାନୁଷ୍ଠାନ ମାନେ ସହଯୋଗ କଲେ ଏହି ସେବା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l
