ଗଣପତି ଶିଶୁ ବିଦ୍ୟା ମନ୍ଦିରରେ ଇଫକୋ ପାରାଦ୍ଵୀପ ୟୁନିଟ ପକ୍ଷରୁ ମାତୃ ସମ୍ମିଳନୀ ।
Alok Kumar Mohapatra | 13 Nov 2025 | 5 min read | 4 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ପୌରାଞ୍ଚଳର ୫ ନମ୍ବର ଓ୍ବାର୍ଡର ବାଲିଝରା ଠାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗଣପତି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁବାର ଦିନ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଇଫକୋ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀଛାତ୍ର ମାନଙ୍କ ମାଆ ମାନେ ସାମିଲ ହୋଇଥିଲେ ଏବଂ ସେଠାରେ ମାଆ ମାନଙ୍କୁ ତାଙ୍କ ପିଲାମାନେ କେମିତି ପୂଜା କରିବା କଥା ତାହା ସମୂହ ଭାବେ କରି ଦେଖାଇଥିଲେ । ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ଇଫକୋ ଲେଡିଜ୍ କ୍ଲବ ପ୍ରମୁଖ ସଭ୍ୟା ଶ୍ରୀମତି ଆରତୀ ପରିଡା, ସମ୍ମାନିତ ଅତିଥି ଭାବେ ପାରାଦ୍ଵୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, ସ୍ଥାନୀୟ ପାରିଷଦ ସ୍ବପ୍ନାରାଣୀ ଜେନା,ସାମ୍ବାଦିକ ଶରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସନ୍ତାନ ମାନଙ୍କ ପ୍ରଥମ ଓ ଆଦ୍ୟଗୁରୁ ହେଲେ ମାଆ। ସେ ସବୁବେଳେ ପିଲାଙ୍କୁ ଭଲ ପାଇଥାଏ । ତାକୁ ପାଠ ପଢାଇ ଭଲ ମଣିଷ କରିବା ସହିତ ଭଲ ସଂସ୍କାର ଦେବା ଜରୁରୀ ବୋଲି ମୁଖ୍ୟ ଅତିଥି ପରିଡା କହିଥିଲେ । ଶେଷରେ ଶିକ୍ଷୟିତ୍ରୀ କଲ୍ୟାଣୀ ସଂଘମିତ୍ରା ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
