କଳିଙ୍ଗ ବାଲିଯାତ୍ରା ବହୁ ଆଡମ୍ବରେ ଲଘୁକ୍ରିୟା ଅବ୍ୟବସ୍ଥା ଓ ତାଳମେଳ ଅଭାବରୁ ଫିକା ପଡିଲା ମହୋତ୍ସବ : ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ।
Alok Kumar Mohapatra | 08 Nov 2025 | 10 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ ପାରାଦ୍ଵୀପ ର କଳିଙ୍ଗ ବାଲିଯାତ୍ରା ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ ହୋଇଛି l ପ୍ରଶାସନିକ ତାଳମେଳ ଅଭାବରୁ ଚଳିତ ମହୋତ୍ସବ ଫିକା ପଡ଼ିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଯଦିଓ ଏହି ଉତ୍ସବ ପାଳନ ପାଇଁ ଏକ କମିଟି ରହିଛି, କିନ୍ତୁ ଏହା ସରକାର ସ୍ୱୀକୃତିପ୍ରାପ୍ତ କାର୍ଯ୍ୟକ୍ରମ ହେବା ପରେ କମିଟିର ସଦସ୍ୟ ମାନଙ୍କୁ ଅଣଦେଖା କରି ସରକାରୀ ଅଧିକାରୀ ମାନେ ଏହି ଏହି କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ପରିଚାଳନା କରୁଥିବା ଅଭିଯୋଗ ହୋଇଛି l ପ୍ରଚାର ପ୍ରସାର ଅଭାବ, ବହୁ ଦୂରରେ ସାଇକେଲ ଓ ଦୁଇଚକିଆ ଯାନ ପାର୍କିଙ୍ଗ ବ୍ୟବସ୍ଥା, ବିଶେଷ ଅତିଥି ମାନଙ୍କୁ ଗାଡି ପାସ ନଦେଇ ପ୍ରିୟାପ୍ରିତିରେ ନିଜ ପ୍ରିୟଜନ ମାନଙ୍କୁ ପାସ ବଣ୍ଟନ ଏବଂ ମୁଖ୍ୟତଃ ଏହି ଯାତ୍ରାରେ ସେଭଳି ଆକର୍ଷଣୀୟ ଷ୍ଟଲ ନଥିବା ଏବଂ ବହୁ ଷ୍ଟଲ ଖାଲିପଡିବା ଯୋଗୁଁ ଜନସମାଗମରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥିବା ନେଇ ସାଧାରଣରେ ଆଲୋଚନା ହେଉଛି l ଅନ୍ୟପକ୍ଷରେ ଏହି ସାତଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ କିଛି ଆୟୋଜକ ଙ୍କ ଛଡା ଏହାର ପୁରୋଧା ତଥା କମିଟିର ଅଧ୍ୟକ୍ଷ କିମ୍ବା କୌଣସି ଜନ ପ୍ରତିନିଧିଙ୍କୁ ଦେଖିବାକୁ ମିଳିନଥିଲା l ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି l ଏହି ବାଲିଯାତ୍ରାରେ ପାରାଦ୍ଵୀପ ର ବହୁ ଶିଳ୍ପାନୁଷ୍ଠାନ ସେମାନଙ୍କର ସହାୟତାର ହାତ ବଢ଼ାଇଥିଲେ ସୁଦ୍ଧା ଆନ୍ତରିକ ଅଭାବରୁ ଚଳିତ ବାଲିଯାତ୍ରା ତାର ସତ୍ତା ହରାଇବାକୁ ବସିଲାଣି ବୋଲି ଆଲୋଚନା ହେଉଛି l ସୂଚନା ଥାଉକି ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ଓ ଜନସାଧାରଣ ଏକତ୍ରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ଦ୍ୱାହି ଦେଇ ପ୍ରଶାସନ ଶୋଭାଯାତ୍ରା ବ୍ୟବସ୍ଥାକୁ ବନ୍ଦ କରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବାଲିଯାତ୍ରା ମଞ୍ଚ ନିକଟକୁ ନେଇ ଯାଇଥିଲା l ଯାହାକୁ ନେଇ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଥିଲା l ସେହିପରି ଉଦଘାଟନୀ ସମାରୋହ ନିମନ୍ତ୍ରଣ ପତ୍ରରେ ପରମ୍ପରା ଅନୁଯାୟୀ ପାରାଦୀପର ପ୍ରଥମ ନାଗରିକ ପୌରାଧ୍ୟକ୍ଷଙ୍କୁ ଅଣଦେଖା କରିବା ପରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଆଉ ଏକ ନିମନ୍ତ୍ରଣ କାର୍ଡ ଛାପିବା ପ୍ରଶାସନର ମନମୁଖୀ ଓ ମନ୍ଦ ଉଦ୍ଦେଶ୍ୟ ଦାଣ୍ଡରେ ପଡି ହାଟରେ ଗଡୁଛି l ତେବେ ପ୍ରଶାସନ ବାଲିଯାତ୍ରା କମିଟି ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସହ ସମନ୍ୱୟ ଅଭାବରୁ ଏଭଳି ବିଭ୍ରାଟ ସୃଷ୍ଟି ହୋଇଥିବା କୁହାଯାଉଛି l ଅନ୍ୟପକ୍ଷରେ ବିରୋଧୀଙ୍କ ଚକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପାରାଦୀପ କଳିଙ୍ଗ ବାଲିଯାତ୍ରା ରେ ସେପରି ଆନ୍ତରିକ ନଦେଖାଇବା ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଅନୁଗତ ମାନଙ୍କୁ ଟାର୍ଗେଟ କରିବା ବିସ୍ମୟ ସୃଷ୍ଟି କରିବା ସହ ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ବୋଲି ସାଧାରଣରେ ଆଲୋଚନା କରୁଛନ୍ତି l
