Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପ ପୌରାଞ୍ଚଳରେ ଦୁର୍ଦ୍ଦଶାରେ ଗୋମାତା, କାଞ୍ଜିଆହୁଦା ନ ରହିବା ସହ ସମାନ

pragyansila bureau | 17 Jul 2025 | 14 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ପୌରାଞ୍ଚଳ ରେ ବୁଲା ଗାଈ ଗୋରୁ ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ଗାଈ ଗୋରୁ ଙ୍କ ଅବାଧ ଚଳପ୍ରଚଳ ଫଳରେ ପୌରାଞ୍ଚଳର ମୂଖ୍ୟ ରାସ୍ତା ଥାନା ଛକ ରୁ ଏମ୍ପୟାରସ ଛକ ବନ୍ଦର ପ୍ରଶାସନିକ ଭବନ ଠାରୁ ଆରମ୍ଭ କରି ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏବଂ ସବଷ୍ଟେସନ ଛକ ଠାରୁ ଆରମ୍ଭ କରି ଦୋଛକି ପର୍ଯ୍ୟନ୍ତ ବୁଲା ଗାଈ ଗୋରୁ ଗୁହାଳ ପାଲଟିଛି। ଏହା ସହ ମେରାଇନ ରୋଡ, ପାରାଦୀପ ବେଳାଭୂମି ଆଦି ବିଭିନ୍ନ ଅଞ୍ଚଳରେ ମାଳମାଳ ଗାଈଗୋରୁ ଙ୍କ ଚଳପ୍ରଚଳ ଯୋଗୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି। ଦୁର୍ଘଟଣା ଫଳରେ କେତେବେଳେ ଗାଈ ଗୋରୁଙ୍କ ଜୀବନ ହାନି ଘଟିବା ସହ ବହୁ ଗାଈ ଗୋରୁଙ୍କ ଗୋଡ ଭାଙ୍ଗୁଛି। ଆଉ ବାଇକ ଆରୋହି ମଧ୍ୟ ଗୁରୁତର ହେଉଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ଏହି ସମସ୍ୟା ଉପୁଜୁ ଥିଲେ ମଧ୍ୟ ପୌର ପ୍ରଶାସନ ଏଥିପ୍ରତି ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ପାରାଦୀପ ପୌରାଞ୍ଚଳ ଅନ୍ତର୍ଗତ ବିର୍ଷାମୁଣ୍ଡା ବିଦ୍ୟାଳୟ ନିକଟରେ ଏକ କାଞ୍ଜିଆହୁଦା ରହିଛି। ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ଟେଣ୍ଡର କରାଯାଇ ଆର୍ଥିକ ବର୍ଷ ୨୦୨୩-୨୪ ଓ ୨୦୨୪-୨୫ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ୭ ଲକ୍ଷ ୨୦ ହଜାର ବ୍ୟୟ ଅଟକଳ କରାଯାଇଛି। କିନ୍ତୁ କୌଣସି ସୁଫଳ ମିଳୁ ନାହିଁ ବୋଲି ଅଭିଯୋଗ ହେଉଛି।ପୁର୍ନବାର ଟେଣ୍ଡର ହେବା ପର୍ଯ୍ୟନ୍ତ ତାହାର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏହି କାଞ୍ଜିଆହୁଦା ଦାୟିତ୍ଵ ରେ ଜଣକୁ କେୟାର ଟେକର ଭାବରେ ମଧ୍ଯ ରଖାଯାଇଛି। ଏତେ ଟଙ୍କା ଖର୍ଚ୍ଚ ସହ ଜଣକୁ ନିଯୁକ୍ତି ଦିଆ ଯାଇଥିଲେ ମଧ୍ୟ ରାସ୍ତାରେ ମାଳମାଳ ଗାଈ ଗୋରୁ ବୁଲୁଛନ୍ତି। କାଞ୍ଜିଆହୁଦା ରେ କିନ୍ତୁ ଗୋଟେ ହେଲେ ଗାଈ ରହୁ ନ ଥିବା ଦେଖିବାକୁ ମିଳୁଛି। କାଞ୍ଜିଆହୁଦା ର ଯେଉଁ କେୟାର ଟେକର ରହିଛନ୍ତି, ସେଠାରେ ୨୪ ଘଣ୍ଟା ରହୁଛନ୍ତି। କିନ୍ତୁ କେବଳ ରହିବା ପାଇଁ ଘର ଖଣ୍ଡେ ଦେଇ ଛନ୍ତି। ମାସିକ ଦରମା ଭଳି କିଛି ନାହିଁ। ଯେଉଁ ଦିନ ଗାଈ ଧରିବାକୁ ଯାଏ ସେଦିନ ମଜୁରି ୪ ଶହ ଟଙ୍କା ମିଳିଥାଏ ବୋଲି କେୟାର ଟେକର ପ୍ରଶାନ୍ତ ଦାସ କହିଛନ୍ତି। ବେଳେବେଳେ ନାମକୁ ମାତ୍ର ଗାଈ ଗୋରୁ ଙ୍କୁ କାଞ୍ଜିଆହୁଦା କୁ ଆଣାଯାଏ। ପରେ ମାଲିକ ମାନେ ଆସି ୫ ଶହ ଟଙ୍କା ଫାଇନ ଦେଇ ନେଇ ଯାଆନ୍ତି। କିନ୍ତୁ ଫାଇନ ର ରସିଦ ଦିଅନ୍ତି ନାହିଁ ବୋଲି ବୃନ୍ଦାବନ କଲୋନୀ ର ଜଣେ ବାସିନ୍ଦା କହିବା ସହ ନାମ ନ ଲେଖିବାକୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଅମାନିଆ ଗାଈ ମାଲିକ ମଧ୍ୟ ଚେତୁ ନାହାଁନ୍ତି। ସେମାନେ କ୍ଷୀର ଦୁହିଁ ସାରି ପୁନର୍ବାର ଗାଈ କୁ ରାଜରାସ୍ତା କୁ ଛାଡି ଦେଉଛନ୍ତି। ଯାହାର କୁପରିଣାମ ଭୋଗୁଛନ୍ତି ପାରାଦୀପ ସହରବାସୀ। ସହର ର ରାସ୍ତା ଗାଈ ଗୁହାଳ ରେ ପରିଣତ ହେବା ଫଳରେ ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କିଛି ଦିନ ପୂର୍ବରୁ ଏମ୍ପୟାରର୍ସ ରାସ୍ତାରେ ଗାଈ ଗୋରୁ ଲଢ଼ାଲଢ଼ି ସମୟରେ ଜଣେ ବାଇକ ଆରୋହି ସହ ଧକ୍କା ହୋଇଥିଲା। ଅଳ୍ପକେ ଉକ୍ତ ବାଇକ ଆରୋହୀ ବଡ ଦୁର୍ଘଟଣା ରୁ ବର୍ତ୍ତିଥିଲେ। ଗତ ୧ ତାରିଖ ରେ ଗୋଟେ ଗାଈ ଦୁର୍ଘଟଣାରେ ଗୁରୁତର ହୋଇ ୧୦ ନମ୍ବର ୱାର୍ଡ ରେ ପଡ଼ି ଥିଲେ । ୫ ଦିନ ପୂର୍ବେ ୫ ନମ୍ବର ଗେଟ ନିକଟରେ ଏକ ଷଣ୍ଢ ଉପରେ ଟ୍ରଲର ମାଡ଼ ରେ ଗୋଡ ଭାଙ୍ଗି ଯାଇଥିଲା। ଯାହାର ସେବା ପାରାଦୀପ ବଜରଙ୍ଗ ଦଳ କରି ଆସୁଛି। ଏଠାରେ ଗୋଶାଳା ନ ଥିବାରୁ ବଜରଙ୍ଗ ଦଳର ସଦସ୍ୟ ମାନେ କଟକ ପଠେଇବାର ବ୍ୟବସ୍ଥା କରିବେ ବୋଲି ସୂଚନା ମିଳୁଛି। ସନ୍ଧ୍ୟା ହେଲା ମାତ୍ରେ ଗାଈଗୋରୁ, ଷଣ୍ଢ ରାଜରାସ୍ତାକୁ ଚାଲି ଆସୁଛନ୍ତି। ଏନେଇ ଅନ୍ଧାର ରେ ବହୁ ଦୁର୍ଘଟଣା ମାନ ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କ ରେ କାଞ୍ଜିଆହୁଦା ଠିକା ନେଇଥିବା ଠିକାଦାର ଙ୍କୁ ପଚାରିବାରୁ ଚଳିତ ମାସରେ ୧୨ ଗାଈ କାଞ୍ଜିଆହୁଦା କୁ ଆସିଥିଲେ। ସେହି ଗାଈ ମାଲିକ ମାନଙ୍କ ଠାରୁ ୬ ହଜାର ଟଙ୍କା ଆଦାୟ କରାଯାଇ ଥିବା ଶ୍ରୀ ମଲ୍ଲ କହିବା ସହ ମାସକୁ ୬୧ ହଜାର ଟଙ୍କାରୁ ଗାଡ଼ି ଭଡ଼ା, ଟ୍ୟାକ୍ସ ବାବଦ କୁ ତିନି ହଜାର ଟଙ୍କା କଟି ଯାଇ ୫୮ ହଜାର ଟଙ୍କା ମିଳୁଛି ବୋଲି କହିଛନ୍ତି। ପୌର କତୃପକ୍ଷ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସହରବାସୀ ଦାବୀ କରିଛନ୍ତି।