ତାରିଣୀଗଡାରେ ଯୁବତୀ ମୃତ୍ୟୁ ଘଟଣା ଉପରୁ ଉଠିଲା ପରଦା
Bureau report | 28 Feb 2026 | 16 min read | 11 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ତାରିଣୀଗଡା ଚାରି ମହଲା ଛାତ ତଳୁ ଅର୍ଦ୍ଧ ଉଲଗ୍ନ ଯୁବତୀଙ୍କ ଶବ ମିଳିବା ଉପରୁ ଆଜି ପରଦା ହଟିଛି | ସେହି କାଳ ରାତିର ଛାତି ଥରା କ୍ରାଇମ ପେଡ଼ିକୁ ଆଜି ଖୋଲିଛନ୍ତି ନିଜେ ଜଗତସିଂହପୁର ଜିଲ୍ଲା ଏସ୍ପି ଅଙ୍କିତ କୁମାର ବର୍ମା | ଲଭ, ଲିଫ୍ଟ, ସେକ୍ସ ଆଉ ମଡର ମିଷ୍ଟ୍ରିର ଭୟଙ୍କର ଘଟଣା ଉପରେ ପାରାଦୀପ ଆଦର୍ଶ ଥାନା ପରିସରରେ ସାମ୍ବାଦିକ ସମ୍ବିଳନୀ କରି ସବିଶେଷ ସୂଚନା ଦେଇଛନ୍ତି ଏସ୍ପି | ଏହି ଘଟଣାରେ ତିର୍ତୋଲ ଥାନା ଅଂଚଳର ଜନୈକା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଅପହରଣ , ଦୁଷ୍କର୍ମ ଆଉ ହତ୍ୟା ଭଳି ସଂଗୀନ ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଯୁବତୀ ଜଣଙ୍କ ଘରୁ ଗତ ରବିବାର ଦିନ ୧୦ଟା ବେଳେ ସାରଳା ମନ୍ଦିର ଯାଉଥିବା କହି ଆସିଥିବା ବେଳେ ପୁରୁଷ ବନ୍ଧୁ ଢ଼ିଙ୍କିଆ ଗୋବିନ୍ଦପୁର ଅଂଚଳର ସୋମନାଥ ଓଝାଙ୍କ ସହ ଦେଖା କରିଛନ୍ତି | ରାହାମା ବଜାର ନିକଟରେ ସନ୍ଧ୍ୟା ସମୟରେ କୌଣସି କାରଣରୁ ସୋମନାଥଙ୍କ ସହ ସମ୍ପୃକ୍ତା ଯୁବତୀଙ୍କ ଝଗଡା ହେବାପରେ ସୋମନାଥ ଯୁବତୀଙ୍କ ଭାଇକୁ ତୁମ ଭଉଣୀ ରାହାମାରେ ଅଛି , ତାକୁ ଆସି ନେଇଜା ବୋଲି କହି ଚାଲି ଯାଇଛନ୍ତି | ଏହାପରେ ଯୁବତୀ ମନସ୍ତାପରେ ଛିଡା ହୋଇଥିବା ବେଳେ ଝାଡ଼ଖଣ୍ଡ ଧନବାଦ ଅଂଚଳର ଶୁଭମ କୁମାର ସିଂ ଅନୁଗୋଳରେ ଥିବା ନିଜ ବାପାଙ୍କ ଠାରୁ ବାଇକ ଆଣି ଫେରୁଥିବା ବେଳେ ସମ୍ପୃକ୍ତା ଯୁବତୀଙ୍କୁ ପାରାଦୀପ ବାଟ କୁଆଡେ ବୋଲି ପଚାରିବାରୁ ସମ୍ପୃକ୍ତା ଯୁବତୀ ଜଣଙ୍କ ଚାଲ ମୁଁ ପାରାଦୀପ ଯିବି ତୁମକୁ ରାସ୍ତା ଦେଖାଇ ଦେବୀ ବୋଲି କହି ଶୁଭମ ସହ ବାଇକରେ ପାରାଦୀପ ତାରିଣୀଗଡା ଆସିଛନ୍ତି | ଶୁଭମ ରହୁଥିବା ତାରିଣୀଗଡା ଶମ୍ଭୁ ଖୁଣ୍ଟିଆଙ୍କ କୋଠା ଉପରକୁ ଉଭୟ ରାତି ୧୦ଟା ୪୦ ସୁଦ୍ଧା ଯିବାପରେ ସାଙ୍ଗହୋଇ ଖାଇଛନ୍ତି | ଏହାପରେ ବିଳମ୍ବିତ ରାତ୍ରିରେ ଛାତ ଉପରେ ଶୁଭମ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ଯୁବତୀ ଏହାର ପ୍ରତିବାଦ କରିବାରୁ ସେ ଯୁବତୀଙ୍କୁ ଛାତ ଉପରୁ ଠେଲି ହତ୍ୟା କରିଥିବା ଓ ଯୁବତୀଙ୍କ ପ୍ୟାଣ୍ଟ , ମୋବାଇଲ ଲୁଚାଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଏସ୍ପି ପ୍ରକାଶ କରିଛନ୍ତି | ନିଜର ପୁରୁଷ ବନ୍ଧୁ ତାଙ୍କ ସହ ବିବାହର ପ୍ରତିଶୃତି ଦେଇ ତାଙ୍କସହ ଦୁଇ ବର୍ଷ ଭିତରେ ଅନେକଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିବା ବେଳେ ତାକୁ ଭୁବନେଶ୍ୱେର ଅଂଚଳରୁ ଗିରଫ କରି ତା ବିରୁଦ୍ଧରେ ୮୭/୭୫(୨)/୭୯/୬୯/୬୪(୨)(ଏମ) ଭାରତୀୟ ନ୍ୟାୟ ସଂହିତା ଧାରାରେ ମୋକଦମା ରୁଜୁ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶୁଭମ ନାମରେ ୧୪୦(୩)/୧୦୩(୧)/୬୪(୧)୬୪(୨)(ଆଇ)/୨୩୮ ଭାରତୀୟ ନ୍ୟାୟ ସଂହିତା ଭଳି ସଂଗୀନ ଦଫା ଲଗାଇଛି | କିନ୍ତୁ ପୋଲିସ ଦେଇଥିବା ତଥ୍ୟକୁ ଅନୁଧ୍ୟାନ କଲେ ଯୁବତୀ ଏକ ଅପରିଚିତ ବ୍ୟକ୍ତି ସହ ରାତିରେ ନିଜ ଘରକୁ ନଯାଇ ପାରାଦୀପ ଆସିବା ଓ ଏକ ଅଜଣା କୋଠାଘରକୁ ଯାଇ ସେଠାରେ ଶୁଭମ ରହୁଥିବା କୋଠରୀରେ ଅନ୍ୟ ଦୁଇଜଣ ଯୁବକ ଥିବାବେଳେ ସେଠାରେ ଖାଇବା ଓ ରାତ୍ରିର ବିଳମ୍ବିତ ପ୍ରହରରେ ଶୁଭମ ସହ ଛାତ ଉପରକୁ ଯିବା ଓ ଯୁବକ ଜଣଙ୍କ ଏକାକୀ ତାକୁ ବଳ ପୂର୍ବକ ଦୁଷ୍କର୍ମ କରିବା ଘଟଣା ଅନେକ ସନ୍ଦେହ ସୃଷ୍ଟି କରୁଥିବା ଆଲୋଚନା ହେଉଛି | ଉକ୍ତ ଚାରି ମହଲା କୋଠାର ଏକ ଥ୍ରୀ ଵିଏଚକେରେ ଶୁଭମ ରହୁଥିବା କୋଠରୀରେ ଅନ୍ୟ ଦୁଇଜଣ ଯୁବକ ରହୁଥିବା ବେଳେ ଶୁଭମ ଏକ ଅପରିଚିତ ଯୁବତୀଙ୍କୁ ସାଙ୍ଗରେ ନେଇ ସେଠାରେ ତା ସହ ଖାଇଥିବା ବେଳେ ଅନ୍ୟ ଦୁଇଜଣ ଯୁବକ ଜାଣିଲେ ନା ନାହିଁ , ଯଦି ଜାଣିଥିଲେ ତେବେ ସେମାନେ ଘର ମାଲିକ କୁ ଜଣାଇଲେ ନାହିଁ କଣ ପାଇଁ ବୋଲି ପ୍ରଶ୍ନ ଉଠିଛି | ଦୁଷ୍କର୍ମ ସରିବା ଓ ଶୁଭମ ଛାତ ଉପରୁ ସମ୍ପୃକ୍ତା ଯୁବତୀଙ୍କୁ ଠେଲି ମାରିବା ପରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିବା ଏବଂ ଉକ୍ତ ଦୁଇ ଜଣ ଯୁବକ ସେତେବେଳେ ଜାଣି ଏହାର ପ୍ରତିବାଦ କରିବାରୁ ଶୁଭମ ଘଟଣା ପ୍ରଘଟ କଲେ ତମକୁ ସବୁ ମାରିଦେବି ବୋଲି ଧମକ ଦେଇଥିବା ପୋଲିସ କହୁଥିବା ବେଳେ ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ସେହିଭଳି ଚାରି ମହଲା ଛାତ ଉପରୁ ତଳକୁ ପଡି ଯୁବତୀର ମୃତ୍ୟୁ ହୋଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ବ୍ୟବଛେଦ ରିପୋର୍ଟରେ ତାର ହାଡ ଭାଙ୍ଗି ନଥିବା ମଧ୍ୟ ଜଣାପଡିଛି | ଏକ ଚାରି ମହଲା କୋଠା ଉପରୁ ପଡି ଯୁବତୀଙ୍କ ମୃତ୍ୟୁ ହେଉଥିବା ଓ ତାଙ୍କ ହାଡ କିଭଳି ଭାଙ୍ଗିଲା ନାହିଁ ତାହା ମଧ୍ୟ ଏକ ପ୍ରଶ୍ନବାଚୀ | କାଲି ଖୁଣ୍ଟିଆ ନିବାସର ସିସିଟିଭି ଖୋଲି ନଥିବା ଓ ଆଜି ତାହା ଖରାପ ଥିବାରୁ ସେଥିରୁ କିଛି ରେକର୍ଡ ମିଳିଲା ନାହିଁ ବୋଲି ପ୍ରକାଶ କରିଛି ପୋଲିସ | ଏତେ ସବୁ ଘଟଣାକୁ ଅନୁଧ୍ୟାନ କଲେ ଆଉ କିଛି ନା କିଛି ରହସ୍ୟ ଆଢୁଆଳରେ ରହିଗଲା ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହେଲାଣି |
