ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରଦ ରାଉତଙ୍କ ୧୦୮ ବର୍ଷ ବୟସରେ ପରଲୋକ
Alok Kumar Mohapatra | 17 Feb 2026 | 6 min read | 50 views
ପାରାଦ୍ୱୀପ ( ପି.ଏନ. ଏସ ) : ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନାରଦ ରାଉତ ଙ୍କ ୧୦୮ ବର୍ଷ ବୟସରେ ପରଲୋକ। ଗତ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡିତ ଥିଲେ। ଅସୁସ୍ଥ କାରଣରୁ ପାରାଦ୍ଵୀପ ସ୍ଥିତ ପିପିଏଲ ଟାଉନସିପ୍ ରେ ନିଜ ମଝିଆ ପୁଅଙ୍କ ପାଖରେ ରହୁଥିଲେ। ୧୯୧୭ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ନାରଦ ରାଉତ ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନ ରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ ନିଆଳି ଡାକବଙ୍ଗଳା ପୋଡି ରେ ନେଇଥିଲେ ପ୍ରମୁଖ ଭୂମିକା। ଜମିଦାର ଙ୍କ ଖଜଣା ଆଦାୟକୁ ବିରୋଧ କରିଥିଲେ ଏବଂ ତତ୍କାଳୀନ ନାଉଗାଁ ର ଜମିଦାର ଖଜଣା ଆଦାୟ ସମୟରେ ତାଙ୍କର କାଗଜ ପତ୍ର ଛଡ଼ାଇ ନେଇ ଚିରି ଦେବା ସହିତ ସ୍ଥାନୀୟ ଲୋକଙ୍କୁ ପ୍ରବର୍ତ୍ତାଇ ଖଜଣା ଦେବାକୁ ବାରଣ କରାଇଥିଲେ। ବହୁବାର ଜେଲ୍ ଯାଇଥିବା ବେଳେ ଲାଠି ମାଡ଼ ମଧ୍ୟ ଖାଇଥିଲେ। ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ , ପ୍ରାଣକୃଷ୍ଣ ପଢିହାରୀ, ନୀଳମଣି ପ୍ରଧାନ ଙ୍କ ସହିତ କାମ କରିଛନ୍ତି ନାରଦ ରାଉତ। ମହାତ୍ମାଗାନ୍ଧୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରୁ କୁସଂସ୍କାର, ନିଶା ନିବାରଣ ପାଇଁ କାର୍ଯ୍ୟ କରିଥିଲେ ସ୍ବର୍ଗତ ନାରଦ ରାଉତ। ତାଙ୍କୁ ମିଳୁଥିବା ସ୍ବାଧୀନତା ସଂଗ୍ରାମୀ ଭତ୍ତା କୁ ସେ ଅସହାୟ ଲୋକଙ୍କ ଚିକିତ୍ସା ପାଇଁ ବ୍ୟବହାର କରୁଥିଲେ। ତାଙ୍କର ଦେହାନ୍ତ ସମୟରେ ତାଙ୍କ ନିକଟରେ ତାଙ୍କର ବଡ଼ପୁଅ, ବୋହୁ , ତିନି ଝିଅ, ମଝିଆ ପୁଅ ବୋହୂ ଓ ସାନ ପୁଅ ବୋହୂ ଙ୍କ ସମେତ ସମସ୍ତ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।
