ମା ବୁଢି ଜାଡୁଆଣୀ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର , ୭୮ ୟୁନିଟ୍ ରକ୍ତ ସଂଗ୍ରହ ।
Alok Kumar Mohapatra | 08 Feb 2026 | 6 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜଗତି ଗ୍ରାମରେ ରବିବାର ଦିନ ମା ବୁଢି ଜାଡୁଆଣୀ ଯୁବକ ସଙ୍ଘ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମା ବୁଢି ଜାଡୁଆଣୀ ଯୁବକ ସଂଘ ଉପଦେଷ୍ଟା ଜୀବନ ଜ୍ୟୋତି ସ୍ଵାଇଁଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଲକ୍ଷ୍ମୀକାନ୍ତ ଦାସ, ମନୋଜ ମହାନ୍ତି, ତପନ ଦାସ ପ୍ରମୁଖ ଯୁବକ ସଂଘର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ଶିକ୍ଷାବିତ ମାୟାଧର ଦାସ, ଜଗତି ଗ୍ରାମ୍ୟ କମିଟି ସଭାପତି ଇଂ.ପ୍ରଶାନ୍ତ କୁମାର ଚୌଧୁରୀ, ମହାପାତ୍ର ଇଣ୍ଡେନ ଗ୍ୟାସ ପ୍ରୋପ୍ରାଇଟର ସୌମେନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ମୃତ୍ତିକା ବିଜ୍ଞାନୀ ବାବାଜୀ ସେଠି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ । ଏହି ଅବସରରେ ଗ୍ରାମର ମହିଳା ସମାଜସେବୀ ଏବଂ ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଗତସିଂହପୁର ଜିଲ୍ଲା ରେଡ଼କ୍ରସ ସୋସାଇଟି ସହାୟତାରେ ଏହି ଶିବିରରେ ସର୍ବମୋଟ ୭୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଗ୍ରାମର ସଂଖ୍ୟାଧିକ ମହିଳା ଏବଂ ଚାଷୀ ଓ ଗ୍ରାମର ଅଧିବାସୀ ମାନେ ଆଗ୍ରହର ସହିତ ରକ୍ତଦାନ କରିଥିଲେ । ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ଏବଂ ପାରାଦୀପ-କଟକ ରାଜ୍ୟ ରାଜପଥରେ ସଡକ ଦୁର୍ଘଟଣାରେ ଗୁରୁତର ରୋଗୀ, ପାରାଦୀପରେ ଗଢି ଉଠିଥିବା ଶିଳ୍ପକାରଖାନାରେ ଦୁର୍ଘଟଣାର ଶିକାର ହେଉଥିବା ଗୁରୁତର ରୋଗୀ ଏବଂ ଥାଲାସେମିଆ ରୋଗରେ ପୀଡିତ ଙ୍କ ପାଇଁ ଆବଶ୍ୟକ ପଡୁଥିବା ରକ୍ତାଭାବ ଦୂର କରିବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଆୟୋଜକମାନେ କହିଛନ୍ତି। ଯୁବକ ସଂଘ ସଦସ୍ୟମାନଙ୍କ ଏପରି ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
