ବୃହତ୍ ବନ୍ଦର ସାଂସ୍କୃତିକ ସମାରୋହର ୩ୟ ସନ୍ଧ୍ୟା: କଳା,ସଂସ୍କୃତି ଓ ପରମ୍ପରା ଏକ ସୁସ୍ଥ ଦର୍ପଣ
Alok Kumar Mohapatra | 10 Jan 2026 | 8 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବନ୍ଦର ଏବଂ ବୃହତ୍ ବନ୍ଦର ଖେଳ ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଜୟଦେବ ସଦନଠାରେ ଆୟୋଜିତ ସର୍ବ ଭାରତୀୟ ବୃହତ୍ ବନ୍ଦର ସାଂସ୍କୃତିକ ସମାରୋହର ତୃତୀୟ ସନ୍ଧ୍ୟାରେ କଲିକତା, ଭି ଓ ଚିଦାମ୍ୱରନାର, କୋଚିନ୍ ବନ୍ଦରର କଳାକାର ମାନେ ସଙ୍ଗୀତ, ନୃତ୍ୟ, ବାଦ୍ୟ ଓ ନାଟକ ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ l ଯେଉଁଥିରେ କଳାକାରମାନେ ନିଜ ନିଜର କଳା ପାରଦର୍ଶିତାକୁ ଉପସ୍ଥାପନା ତଥା ନିଜ ରାଜ୍ୟର ସାଂସ୍କୃତିକ ପରମ୍ପରାକୁ ପାରାଦୀପ ଅନ୍ତେବାସୀଙ୍କୁ ପରିଚିତ କରାଇଥିଲେ । ତିନୋଟି ଯାକ ବନ୍ଦରର କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ କଳା ଓ ସାଂସ୍କୃତିକ ପରମ୍ପରାରେ ଭରପୁର କାର୍ଯ୍ୟକ୍ରମ ଗୁଡ଼ିକ କେବଳ ମନୋରଞ୍ଜନଧର୍ମି ନଥିଲା ତା ସଙ୍ଗେ ସଙ୍ଗେ ସମାଜର କୌଣସି ନା କୌଣସି କୋଣରେ ଥିବା ଅନ୍ଧବିଶ୍ୱାସ, ଅସହିସ୍ମିତା, ନିରକ୍ଷରତା ଆଦିର ସମାଜ ଉପରେ ପ୍ରଭାବ ସହିତ ପରିଚିତ କରାଇଥିଲା । ଭାଷା ଓ ସଂସ୍କୃତିର ବିଭିନ୍ନତା ଥିଲେ ମଧ୍ୟ କଳାକାର ମାନଙ୍କର ପ୍ରଦର୍ଶନ ଦର୍ଶକଙ୍କର ମନକୁ ଛୁଇଁ ଥିଲା । କଲିକତା ବନ୍ଦରର କଳାକାର ମାନେ ରବୀନ୍ଦ୍ର ସଙ୍ଗୀତ ଓ ଲୋକ ନୃତ୍ୟ ପରିବେଷଣ କରିଥିବା ବେଳେ ଅନ୍ୟ ଦୁଇଟି ବନ୍ଦର ସେମାନଙ୍କର ରାଜ୍ୟର ଶାସ୍ତ୍ରୀୟ ଓ ଲୋକ ସଂସ୍କୃତି ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ସତେ ଯେପରି ଲାଗୁଥିଲା ଗଙ୍ଗା ଠାରୁ ଗୋଦାବରୀ ତଥା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମ୍ପୂର୍ଣ ଭାରତ ବର୍ଷ ପାରାଦୀପ ଠାରେ ଏକାଠି ହୋଇଛନ୍ତି ଓ ବିଭିନ୍ନ ବନ୍ଦରରୁ ଆସିଥିବା କଳାକାର ମାନେ ଏଇ ଏକତ୍ରିକରଣର ଜଣେ ଜଣେ ଅଂଶ ପାଲଟି ଯାଇଛନ୍ତି । ନାଟକରେ କଳାକାର ମାନଙ୍କର ନିଖୁଣ ଅଭିନୟ କେବଳ ଦର୍ଶକ ମାନଙ୍କୁ ଆକର୍ଷିତ କରିନଥିଲା ତା ସଙ୍ଗେ ସଙ୍ଗେ ଦର୍ଶକ ମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ୧୧ ତାରିଖ ରବିବାର ଦିନ ଉଦଯାପନୀ ସନ୍ଧ୍ୟାରେ ଆୟୋଜକ ପାରାଦୀପ ବନ୍ଦର ତାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ ଓ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ କୃତି ପ୍ରତିଯୋଗୀ ତଥା ବିଜୟୀ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିବେ ।
