ଚାନ୍ଦା ଆଦାୟକୁ ନେଇ ଭୟରେ ଟ୍ୟାଙ୍କର ଚାଳକ , ତେଲ ଟର୍ମିନାଲ ସମ୍ମୁଖରେ ବିକ୍ଷୋଭ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ଦାବି ।
Alok Kumar Mohapatra | 20 Dec 2025 | 5 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ବାଘ ଫେରିଲେଣି ପାରାଦ୍ଵୀପ , ପୂର୍ବଭଳି ଟଙ୍କା ଦିଅ , ନଚେତ ଚଳାଇ ପାରିବ ନାହିଁ ତେଲ ଟ୍ୟାଙ୍କର । ପାରାଦ୍ଵୀପ ରେ ଥିବା ତିନୋଟି ତୈଳ ଟର୍ମିନାଲ ରେ ଏହିପରି ଧମକ ଦେଇ ଆଦାୟ ହେଉଛି ବଟି । ପୂର୍ବରୁ ତେଲ ଟ୍ୟାଙ୍କର ଡ୍ରାଇଭର ମାନଙ୍କ ନିକଟରୁ ଏକ ନିର୍ଦ୍ଦିଷ୍ଟ ଶ୍ରମିକ ୟୁନିଅନ ଦ୍ବାରା ପ୍ରତ୍ୟେକ ତୈଳ ଟ୍ୟାଙ୍କର ପିଛା ୩୦ ରୁ ୧୫୦ ଟଙ୍କା ଆଦାୟ କରାଯାଉଥିବା ବେଳେ, ଏହାର ପ୍ରତିବାଦ କଲେ ଡ୍ରାଇଭର ମାନଙ୍କୁ ମାଡ ମରାଯାଉଥିବା ଅଭିଯୋଗ ହେଉଥିଲା । ଏ ସମ୍ପର୍କରେ ଡ୍ରାଇଭର ମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ସହିତ ଜଗତସିଂହପୁର ଏସପି ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଏସପିଙ୍କ ହସ୍ତକ୍ଷେପ ପରେ ଗତ ତିନି ମାସ ହେଲା ବଟି ଆଦାୟ ବନ୍ଦ ହୋଇଯାଇଥିଲା । ମାତ୍ର ଗତ ୪ ରୁ ୫ ଦିନ ହେଲା ନିର୍ଦ୍ଧିଷ୍ଟ ୟୁନିଅନ ର ସଦସ୍ୟ ଜୋର ଜବରଦସ୍ତି ଚାନ୍ଦା ଆଦାୟ କରୁଛନ୍ତି । ବାଘ ପୁଣି ଫେରିଲାଣି , ବଟି ନଦେଲେ ଗାଡ଼ି ଚଳାଇ ପାରିବ ନାହିଁ ବୋଲି ଡ୍ରାଇଭର ମାନଙ୍କୁ ଧମକ ଦେଉଛନ୍ତି । ଯାହାକୁ ବିରୋଧ କରି ତୈଳ ଟର୍ମିନାଲ ର ଡ୍ରାଇଭର ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଦି ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ ନକରେ , ତେବେ ପୁଣି ଥରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସହିତ ଦୃଢ଼ ପ୍ରତିବାଦ କରାଯିବ ବୋଲି ଡ୍ରାଇଭର ମାନେ ଚେତାବନୀ ଦେଇଛନ୍ତି ।
