ନିମିଢ଼ୀ ଗ୍ରାମରେ ଗୋଚର ଜମି ଘୋଟାଲା , ପ୍ରଭାବଶାଳୀ ବ୍ୟକ୍ତି ମାଲାମାଲ୍ ।
Alok Kumar Mohapatra | 20 Dec 2025 | 9 min read | 11 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପରେ ଗୋଚର ଜମିକୁ କୋଟି କୋଟି ଟଙ୍କାରେ ବିକ୍ରି କରି ମୁନାଫା କମାଇବା ଘଟଣାରେ ଏବେ ଆସିଛି ନୂଆ ମୋଡ଼। ନିଜକୁ ବଞ୍ଚାଇବା ପାଇଁ ଗ୍ରାମ୍ୟ କମିଟିର କିଛି ମୁଷ୍ଟିମେୟ ଲୋକ ଏବେ ସେଠାରେ ରାତାରାତି ଗଛ ଲଗାଇବା ସହିତ ତାର ବାଡ଼ ବୁଲାଇଛନ୍ତି । ଫଳରେ ଗୋଚର ଜମିକୁ ଲାଗିଥିବା ସ୍ଥିତିବାନ ଜମି ମାଲିକ ନିଜ ଜମିକୁ ଯିବା ପାଇଁ ମଧ୍ୟ ବାଟ ନାହିଁ। ସରକାରୀ ଗୋଚର ଜମିକୁ ଗ୍ରାମର ନିଜସ୍ୱ ଜମି କହି ଗରିବ ନିରୀହ ଲୋକଙ୍କ ଠାରୁ ଲୁଟି ନେଇ ଆତ୍ମସାତ କରିଥିବା ପୁଳା ପୁଳା ଟଙ୍କା ଏବେ କିଏ ଦେବ ସେଥିପାଇଁ ଚାଲିଛି ଟଣା ଓଟରା । ତେବେ ଏହି ଜମି ସ୍କାମ୍ ରେ ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ଥିବା ବେଳେ ଅନାବାଦୀ ଯାଗା କହି ଏକର ଏକର ଗୋଚର ଜମିକୁ ଗାଁ କମିଟି ବିକ୍ରି କରି କୋଟିକୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଜାଗା କିଣି ଠକାମୀରେ ଶୀକାର ହୋଇଥିବା ଲୋକେ ଏବେ ଚିନ୍ତାରେ ଥିବା ଜଣାପଡିଛି । ତେବେ ପାରାଦ୍ଵୀପ ଗଡ ପଞ୍ଚାୟତ ନିମିଢୀ ଗ୍ରାମରେ ଏକର ଏକର ଗୋଚର ଜମି ରହିଥିବା ବେଳେ ଏହି ଜମିକୁ ଅନାବାଦୀ ଓ ଠାକୁରାଣୀଙ୍କ ଯାଗା ଦର୍ଶାଇ ପ୍ଲଟିଂ କରି ବିକ୍ରି କରାଯାଇଛି । ଯେଉଁଠି ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କୋଠାଘର ନିର୍ମାଣ କରିଥିବା ବେଳେ ଉକ୍ତ ଜମି ଗୋଚର ବୋଲି ଜାଣିବା ପରେ ନିମିଢୀ ଗାଁ କମିଟି ସଦସ୍ୟ ଙ୍କ ନାମରେ ଅଭିଯୋଗ ଆଣିଥିଲେ । ଗୋଚରକୁ ଲାଗି ରହିଥିବା ଜମାବନ୍ଦି ଯାଗା ର ଲୋକେ ଏନେଇ କୁଜଙ୍ଗ ତହସିଲଦାର ଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏବେ ଗୋଚର କୁ ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ତେବେ ଏହି ଜମି ଘୋଟାଲା କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବିକ୍ରି କରିଥିବା ଲୋକଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ଏହି ଘୋଟାଲା କୁ ଲୁଚେଇବାକୁ ଯାଇ କିଛି ଗୋଚର ଜମିରେ ବୃକ୍ଷରୋପଣ କରାଯାଉଥିବା ବେଳେ ନିଜ ଜମିକୁ ଯିବା ଆସିବା କରିବା ପାଇଁ ରାସ୍ତା ବନ୍ଦ ହୋଇଯାଇଥିବା ଜମି ମାଲିକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନିମିଢ଼ି ଗ୍ରାମରେ ଅନାବାଦୀ ଜାଗା ରେ ରାଜପ୍ରାସାଦ ଭଳି ବଡ ବଡ଼ ବିଲଡିଙ୍ଗ ତିଆରି କରି ଭଡା ସୂତ୍ରରେ ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଥିବା ବେଳେ ଅନାବାଦୀ ଜମିରେ ଘର ହୋଇ ସେଠାରେ ଗ୍ୟାସ ଏଜେନ୍ସି ଚାଲୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଗ୍ରାମରେ ହୋଇଥିବା ଜମି ଘୋଟାଲା ଉପରେ ତଦନ୍ତ କରି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜମି ମାଲିକ ଦାବୀ କରିଛନ୍ତି ।
