ପାରାଦ୍ଵୀପ ସାଂସ୍କୃତିକ ମହୋତ୍ସବ ଉଦଯାପନୀ ସନ୍ଧ୍ୟାରେ ବନ୍ଦର ଅର୍ଥ ବିଭାଗ ପକ୍ଷରୁ ନାଟକ 'ଭୟ' ମଞ୍ଚସ୍ଥ ।
Alok Kumar Mohapatra | 08 Dec 2025 | 9 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଓ ଜଗନ୍ନାଥ ଲଳିତ କଳା ସଂସଦ ଆନୁକୁଲ୍ୟରେ ଆୟୋଜିତ ପାରାଦ୍ଵୀପ ସାଂସ୍କୃତିକ ମହୋତ୍ସବ- ୨୦୨୫ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ବନ୍ଦରର ଅର୍ଥ ବିଭାଗର କଳାକାରମାନେ ନିରଞ୍ଜନ ଗାନଙ୍କ ନିର୍ଦ୍ଦେଶନାରେ ଆନନ୍ଦ ଚନ୍ଦ୍ର ପହିଙ୍କ ଲିଖିତ ନାଟକ 'ଭୟ' ମଞ୍ଚସ୍ଥ କରିଥିଲେ ଯାହା ଉପସ୍ଥିତ ଭରପୁର ଦର୍ଶକଙ୍କ ହୃଦୟ ଛୁଇଁଥିବାର ଦେଖିବାକୁ ମିଳିଥିଲା । ଏକ ଅଦୃଶ୍ୟ ଶକ୍ତି ଯାହା ମନୁଷ୍ୟକୁ ଭିତରୁ ଖାଇଯାଏ ଓ ମନର ଅନ୍ଧକାରରେ ଘର କରିଯାଏ ସେଇଠି ଭୟ ସୃଷ୍ଟି ହୁଏ ତଥା ଭୟ ଏବଂ ମନୁଷ୍ୟତା ମୁହାଁ ମୁହଁ ହୋଇଯାଆନ୍ତି । ଏକ ସାଧାରଣ ପରିବାରର ବାପା, ମା ଓ ଝିଅଙ୍କର ଜୀବନର ଦିଗକୁ ଏକ ଅଜଣା ଶବ ବଦଳାଇ ଦିଏ । ମନୁଷ୍ୟତା ଭାବି ସେମାନେ ଚେଷ୍ଟା କରନ୍ତି ଶବକୁ ଚିହ୍ନିବା ପାଇଁ, ସମ୍ମାନର ସହିତ ଶବ ଦାହ କରିବା ପାଇଁ । କିନ୍ତୁ ସମାଜ ଭୟରେ ମୁଁହ ଘୁଞ୍ଚିଲା, ଦସ୍ତଖତ ହଟିଲା, ସ୍ୱର ମଧ୍ୟ ନୀରବ ହୋଇଗଲା । ଯେଉଁଠି ସମସ୍ତେ ପଛକୁ ହଟିଗଲେ ସେଠୀ ଦୁଇଟି ମଣିଷ ବାପା ଓ ଝିଅ ସତ୍ୟ ଖୋଜିବାରେ ଅତୁଟ ରହିଲେ । ଯେତେବେଳ ସତ୍ୟ ପରିପ୍ରକାଶ ହେଲା ତାହା ଥିଲା ଭୟଙ୍କର । ଏହି ନାଟକ ମନୁଷ୍ୟ ମନରେ ଥିବା ଭୟ, ଦାୟିତ୍ଵ ଓ ମାନବତାର ସଂଘର୍ଷର ଏକ ନିଛକ ଉଦାହରଣ । ଯାହା ଆମକୁ ପ୍ରଶ୍ନ କରେ ଭୟ ଆମକୁ ସୁରକ୍ଷିତ କରେ ନା ଆମର ମନୁଷ୍ୟତାକୁ ହରିନିଏ । ଅନ୍ତିମ ସନ୍ଧ୍ୟାର ନାଟକର ମୁଖ୍ୟ ଆକର୍ଷଣ ଥିଲା ପ୍ରଶାନ୍ତ ମହାରଣା ଏବଂ ତାଙ୍କ ସାଥୀ କଳାକାର ମାନଙ୍କ ଦ୍ଵାରା ପାଲା ପରିବେଷଣ । ଓଡ଼ିଶାର ପୁରାତନ କଳା ପାଲାକୁ ପରିବେଷଣ କରି କଳାକାର ମାନେ ଦର୍ଶକ ମାନଙ୍କର ପ୍ରଶଂସା ସାଉଁଟିଥିଲେ । ଦୀର୍ଘ ୯ ଦିନ ଧରି ପାରାଦୀପ ବନ୍ଦର ତରଫରୁ ଆୟୋଜିତ ଏହି ସାଂସ୍କୃତିକ ମହୋତ୍ସବ ବନ୍ଦର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ କଳା ସଂସ୍କୃତି ପ୍ରତି ନିଜର ପ୍ରତିବଦ୍ଧତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଅନ୍ତେବାସୀ ମାନଙ୍କୁ ଆନନ୍ଦର ଖୋରାକ ଯୋଗାଇଥିଲା । ଏହି ମହୋତ୍ସବ ସେମାନଙ୍କ ମଧ୍ୟରେ ଭାଇଚାରା ମଧ୍ୟ ସୃଷ୍ଟି କରିପାରିଥିଲା । ଅନ୍ତିମ ସନ୍ଧ୍ୟାରେ ବନ୍ଦର ଅର୍ଥ ପରାମର୍ଶଦାତା ଅଶୋକ କୁମାର ସାହୁ, ଡି ସି କ୍ୟାପଟେନ ଅଲେଖ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କଳାକାର ମାନଙ୍କୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ମହୋତ୍ସବର ସଫଳ ଆୟୋଜନରେ ସବୁ ବିଭାଗ ମାନଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଜଗନ୍ନାଥ ଲଳିତ କଳା ସଂସଦର ସମ୍ପାଦକ ପ୍ରଶାନ୍ତ ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
