ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ
pragyansila bureau | 02 Dec 2025 | 7 min read | 11 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ବିଶ୍ବ ଏଡ୍ସ ଦିବସ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଚିତ୍ତରଞ୍ଜନ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡ଼କ୍ରସ, +୨ ଓ +୩ ଏନଏସଏସ ଇଉନିଟ୍ର ସ୍ୱେଚ୍ଛାସେବୀମାନଙ୍କ ସଂଯୁକ୍ତ ପରିଚାଳନାରେ ଯୁବ ରେଡ଼କ୍ରସ କାଉଁସିଲର ଚୈତନ୍ୟ ଚରଣ ପରିଡାଙ୍କ ତତ୍ତ୍ୱାବଧାନରେ ପଦଯାତ୍ରାଟି ମହାବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଚାନ୍ଦଖାପାଟଣା, ହରିନବାଇ, ବ୍ଲକଛକ, ନାଉଗାଁହାଟ, ଅବଦଲପୁର ଓ ଚନ୍ଦ୍ରରପୁର ଦେଇ ଆବାରେ କ୍ୟାମ୍ପସକୁ ପହଞ୍ଚିଲା । ପଦଯାତ୍ରାକାଳୀନ ସମୟରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଏଡ୍ସ ସଚେତନତାର ସ୍ଲୋଗାନ ଧ୍ୱନିତ କରିଥିଲେ ଏବଂ ବିଭିନ୍ନ ପ୍ଲାକାର୍ଡ ମାଧ୍ୟମରେ ସମାଜକୁ ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର ସହ ଜ୍ୟୋତି ପ୍ରକାଶ ଲେଙ୍କା, ବିଭୁତି ଭୂଷଣ ସ୍ୱାଇଁ, +୩ ଏନଏସଏସ ପ୍ରୋଗ୍ରାମ ଅଫିସର ବିଜୟିନୀ ପଢିହାରୀ, +୨ ପ୍ରୋଗ୍ରାମ ଅଫିସର ଏକତା ପଣ୍ଡା, ହୃଦାନନ୍ଦ ସ୍ୱାଇଁ, ଅମ୍ବିକା ଚାନ୍ଦ, ବିକ୍ରମ ବେହେରା ଆଦି ଉପସ୍ଥିତ ଥିଲେ। ପଦଯାତ୍ରା ପରେ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହେଲା । ସଭାରେ ନାଉଗାଁ ମେଡିକାଲ ଅଫିସର ଡ଼. ସଂଗ୍ରାମ କେଶରୀ ମହାନ୍ତି ମୁଖ୍ୟ ବକ୍ତା ଭାବେ ଏଡ୍ସ ରୋଗର ଆଶଙ୍କା, ଲକ୍ଷଣ ଓ ପ୍ରତିରୋଧ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ପ୍ରଭାତ କୁମାର ଶତପଥୀ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଦୁଇଶହରୁ ଅଧିକ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । (ରିପୋର୍ଟର - ବୈଷ୍ଣବ ରାଉଳ)
