Latest News
ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯

ପାରାଦ୍ଵୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର ମୁଖ୍ୟମନ୍ତ୍ରୀ ।

Alok Kumar Mohapatra | 05 Nov 2025 | 15 min read | 3 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦରରେ ଆୟୋଜିତ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଥିଲେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଏହି ପରମ୍ପରା ଆଜି ବି ଓଡ଼ିଆ ଲୋକଙ୍କୁ ପ୍ରେରଣା ଦେଉଛି ଯେ, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦ୍ଵୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ ବୃହତ୍ ବନ୍ଦର ଭାବେ ପରିଚିତ ହୋଇଛି । ୨୦୧୫ ମସିହାରେ ବନ୍ଦରର କ୍ଷମତା ଥିଲା ୭୧ ନିୟୁତ ଟନ୍ ପଣ୍ୟ ଏବେ ଏହାର ଅଭିବୃଦ୍ଧି କ୍ଷମତା ୨୦୨୫ରେ ୧୫୦ ନିୟୁତ ଟନ୍‌ରେ ପହଞ୍ଚିଛି । ପାରାଦ୍ଵୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର, ଅର୍ଥନୀତିର କୋଣାର୍କ। “ମାରି-ଟାଇମ ଇଣ୍ଡିଆ ଭିଜନ ୨୦୩୦” ଅନୁସାରେ ବାର୍ଷିକ ୩୦୦ ନିୟୁତ ଟନ୍ ଓ “ବିକଶିତ ଭାରତ ୨୦୪୭” ଯୋଜନା ଅନୁଯାୟୀ ୫୦୦ ନିୟୁତ ଟନ୍ ପର୍ଯ୍ୟନ୍ତ ପଣ୍ୟ ପରିବହନ କ୍ଷମତା ସହିତ ପାରାଦୀପ ବନ୍ଦରକୁ ଏକ ମେଗା ପୋର୍ଟ ଭାବେ ଗଢ଼ାଯିବ ବୋଲି ସେ ଘୋଷଣା କଲେ । ସେ ଏହା ମଧ୍ୟ କହିଥିଲେ ଯେ ଓଡ଼ିଶା ସରକାର ଓ ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ଗଞ୍ଜାମ ଜିଲ୍ଲାର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ ବନ୍ଦର ଗଢ଼ିବା ପାଇଁ ଯୋଜନା କରୁଛନ୍ତି । ସେହିପରି, ମହାନଦୀ ମୁହାଣରେ ୨୪,୭୦୦ କୋଟି ଟଙ୍କା ବିନିଯୋଗରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ସ୍ଥାପନ ହେବ ଓ ପୁରୀରେ ବିଶ୍ୱସ୍ତରୀୟ କ୍ରୁଜ୍ ଟର୍ମିନାଲ୍ ଗଢ଼ାଯିବ। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପ ମୁଖ୍ୟ କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ସେ ଆଶା ବ୍ୟକ୍ତ କଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଭାରତ ସରକାରଙ୍କ “ସାଗରମାଳା, ଗତିଶକ୍ତି ଓ ନ୍ୟାସନାଲ୍ ଲଜିଷ୍ଟିକ୍ ପଲିସି” ଯୋଜନା ସହ ସମନ୍ୱୟ ରକ୍ଷା କରି ଓଡ଼ିଶାରେ ବନ୍ଦର ଭିତ୍ତିକ ଅର୍ଥନୀତି ଗଢ଼ାଯାଇଛି । ରାଜ୍ୟ ସରକାର ତଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ କୋଷ୍ଟାଲ୍‌ ଇକୋନୋମିକ୍‌ ଜୋନ ସ୍ଥାପନ ପାଇଁ ଉଦ୍ୟମ କରୁଛନ୍ତି । ସେ କହିଲେ ଯେ, “ମୋଦୀଜୀଙ୍କ ଦୃଢ ନେତୃତ୍ୱରେ ଭାରତ ନୌବାଣିଜ୍ୟରେ ନୂତନ ଯୁଗକୁ ପ୍ରବେଶ କରିଛି ଓ ‘ମାରି-ଟାଇମ୍ ଅମୃତକାଲ୍ ଭିଜନ ୨୦୪୭’ ଅନୁଯାୟୀ ଦେଶର ବନ୍ଦରମାନେ ବିଶ୍ୱସ୍ତରୀୟ ହେବେ।”
ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ, ରାଜ୍ୟ ସରକାର ବନ୍ଦରକୁ କେନ୍ଦ୍ର କରି ଶିଳ୍ପ, ଆଧାରଭୂତ ସଂରଚନା, ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶରେ ବିଶେଷ ଗୁରୁତ୍ୱ ଦେଉଛି । ପାରାଦ୍ଵୀପ ବନ୍ଦରର ବିକାଶ ମାତ୍ର ଓଡ଼ିଶାକୁ ନୁହେଁ, ସମଗ୍ର ଭାରତର ମାରିଟାଇମ୍ ଅର୍ଥନୀତିକୁ ଶକ୍ତିଶାଳୀ କରୁଛି । ପାରାଦ୍ଵୀପ ଆଜି କେବଳ ଏକ ବନ୍ଦର ନୁହେଁ, ଏହା ଓଡ଼ିଶାର ଅସୀମ ସମ୍ଭାବନା ଓ ନୂଆ ଭାରତ ଗଢ଼ିବାର ଶକ୍ତିର ପ୍ରତୀକ, ବୋଲି ସେ ଉଲ୍ଲେଖ କରିଥିଲେ l
ଗତ ଚାରି ବର୍ଷ ଧରି ପାରାଦ୍ଵୀପ ବନ୍ଦର ନିରନ୍ତର ଭାବେ ନୂତନ ରେକର୍ଡ ସୃଷ୍ଟି କରିଛି ଓ ପୂର୍ବ ପଚାଶ ବର୍ଷର ସଫଳତାକୁ ଅତିକ୍ରମ କରିଛି । କ୍ଷମତା ବୃଦ୍ଧି, ବ୍ୟବସାୟିକ ପଦ୍ଧତିର ଉନ୍ନତି, ଦକ୍ଷତା ବିକାଶ ଓ ସମସ୍ତଙ୍କଠାରୁ ଅଧିକ "ଟିମ୍ ପାରାଦୀପ"ର ଅକ୍ଳାନ୍ତ ଶ୍ରମ ଓ ସମର୍ପଣର ଫଳରେ, ପାରାଦ୍ଵୀପ ବନ୍ଦର ଆଜି ଦେଶର ନମ୍ବର ଏକ ବନ୍ଦର ଭାବେ ପରିଚିତ ହୋଇଛି ବୋଲି ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରନାଦ ଉଲ୍ଲେଖ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜଗତସିଂହପୁର ଜିଲ୍ଲାପାଳ ଜେ.ସୋନାଲ, କେନ୍ଦ୍ରାଞ୍ଚଳ ଡ଼ି.ଆଇ.ଜି ଡଃ.ସତ୍ୟଜିତ ନାଏକ ପ୍ରମୁଖ ମଞ୍ଚାସିନ ଥିବାବେଳେ, ପାରାଦ୍ଵୀପ ବନ୍ଦର ଉପାଧ୍ୟକ୍ଷ ଅଲେଖ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ଅତିଥି ଗଣ ଜାହାଜ "ତରିଣୀ " ରେ ବସି ବନ୍ଦର ପରିକ୍ରମା କରିଥିଲେ।