କଳିଙ୍ଗ ବାଲିଯାତ୍ରା ଶେଷପର୍ଯ୍ୟାୟ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ : ବିଭିନ୍ନ ସନ୍ଧ୍ୟାରେ ଆୟୋଜିତ ହେବ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ
Alok Kumar Mohapatra | 03 Nov 2025 | 7 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବେଳାଭୂମିରେ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟନ ହେବ ଓଡ଼ିଶାର ଦ୍ଵିତୀୟ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବ l ତେବେ ଏହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସୋମବାର ସନ୍ଧ୍ୟାରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମହୋତ୍ସବ ସ୍ଥଳରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଆଗମନ ପାଇଁ ସମସ୍ତ ପ୍ରକାରର ସୁରକ୍ଷା ଓ କାର୍ଯ୍ୟକ୍ରମ ବିଷୟରେ ପୋଲିସ ଡିଆଇଜି ସତ୍ୟଜିତ ନାୟକ,ଜିଲ୍ଲା ଏସପି ଅଙ୍କିତ ବର୍ମା, କଳିଙ୍ଗ ବାଲିଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ.ସୋନାଲ ଙ୍କ ଠାରୁ ପଚାରି ବୁଝିଥିଲେ l ଏହି ବାଲିଯାତ୍ରା ସାତଦିନ ଧରି ଚାଲିବାକୁ ଥିବା ବେଳେ ବିଭିନ୍ନ ସନ୍ଧ୍ୟାରେ ଆକର୍ଷଣୀୟ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବଲିଉଡ ଓ ଓଲିଉଡ଼ ର ନାମିଦାମୀ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ l ଚଳିତ ବର୍ଷ ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ କାର୍ଯ୍ୟକ୍ରମ କୁ ସହଜରେ ଦେଖିବା ପାଇଁ ପ୍ରଦର୍ଶନୀ ପେଣ୍ଡାଲ ର ଉଚ୍ଚତା ଓ ଆକାର ବୃଦ୍ଧି କରାଯାଇଥିବା ନେଇ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ତଥା ଏଡିଏମ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି l ଏହି ସାତଦିନ ବ୍ୟାପି କାର୍ଯ୍ୟକ୍ରମରେ ମୂଖ୍ୟ ଆକର୍ଷଣ ରହିବେ ଅନନ୍ୟା ଓ ଆଶୁତୋଷ, ପ୍ରଜ୍ଞା ହୋତା, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, କୁଲଦୀପ ପଟ୍ଟନାୟକ, ଅନନ୍ୟା ଶ୍ରୀତମ ନନ୍ଦ, ଅଙ୍କିତ ତିୱାରୀ ପ୍ରମୁଖ l ତେବେ ଚଳିତ ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗଦେବାକୁ କଳିଙ୍ଗ ବାଲିଯାତ୍ରା କମିଟି ପକ୍ଷରୁ ସାଧାରଣରେ ଅନୁରୋଧ କରାଯାଇଛି l
