ବିହାର ରୁ ଆସି ପାରାଦ୍ୱୀପ ରେ ହଜିଗଲା ଗୋରଖ କୁମାର !
Bureau report | 06 Jun 2025 | 14 min read | 15 views
ପାରାଦ୍ୱୀପ ( ପି.ଏନ. ଏସ ) : ଅଭିଯୁକ୍ତ ମାନିଲା , କୋର୍ଟରୁ ରିମାଣ୍ଡରେ ଆସି କ୍ରାଇମ ସ୍ପଟ୍ ରେ ଦୁଇଦିନ କାଳ ଖୋଜିଲା , ହେଲେ ହତ୍ୟାର ଶିକାର ହୋଇଥିବା ଗୋରେଖ ଙ୍କର ମୃତଦେହ ମିଳିଲା ନାହିଁ | ଏହାପରେ କଣ ହେଲା କେଜାଣି ସମସ୍ତେ ନିରବ | ବିହାର ପୋଲିସ ତା ବାଟରେ ଫେରିଗଲା , ଆଉ ଏଠାକାର ପୋଲିସ ୱାନ ମ୍ୟାନ ମିସିଙ୍ଗ କେଶ କରି ଚୁପ | ଖରା ଯାଇ ବର୍ଷା ଆସିଛି | ୧୫ ଦିନତଳେ ଯେଉଁ ଘଟଣାକୁ ପୋଲିସ ପୁରା ତନାଘନା କରୁଥିଲା , ଆଜି ସେହି ଘଟଣା ସତେ ଯେମିତି ଲଗାଣ ବର୍ଷାରେ ଧୋଇଗଲାପରି ଲାଗୁଥିବା ଚର୍ଚା ହେଲାଣି | ବିହାର ରାଜ୍ୟ ରୋତାଶା ଜିଲ୍ଲା ନାସିରଗଂଜ ଥାନା ଗୋରେଖ କୁମାର ଗତ ବର୍ଷ ଆସନ୍ତି ପାରାଦୀପ ଦୋଛକିରେ ଥିବା ବିଏସ ହେଭି ଇଣ୍ଡ୍ରସ୍ତ୍ରୀ ଲିମିଟେଡ଼ରେ ଶ୍ରମିକ ଭାବେ କାମ କରିବା ପାଇଁ | ସେଠାରେ ଗତ ଫ୍ରେବୃଆରି ମାସ ଦୁଇ ତାରିଖ ଦିନ କୌଣସି କାରଣରୁ ତାଙ୍କ ବିହାର ରାଜ୍ୟ ଅଜୟ କୁମାରଙ୍କ ସହ ଝଗଡା ହୁଏ | ଆଉ ଅଜୟ କୁମାର ଗୋରେଖଙ୍କୁ ପାଖରେ ଥିବା ଏକ ତାୱା ସାହାଯ୍ୟରେ ଆକ୍ରମଣ କରିବାରୁ ଗୋରେଖ ଙ୍କର ମୃତ୍ୟୁ ହୋଇଥିବା ନିଜେ ଅଭିଯୁକ୍ତ ଅଜୟ କୁମାର ବିହାର ପୋଲିସ ଓ କୋର୍ଟରେ ଗିରଫ ପରେ ନିଜ ଦୋଷକୁ ସ୍ୱୀକାର କରନ୍ତି | ବିହାର ପୋଲିସ ଅଭିଯୁକ୍ତ ଅଜୟ କୁମାର ଙ୍କୁ ରିମାଣ୍ଡରେ ଆଣି ପାରାଦୀପ ଆସି କ୍ରାଇମ ସ୍ପଟରେ ଦୁଇଦିନ ବେଶ ଖୋଳତାଡ଼ ମଧ୍ୟ କରନ୍ତି | ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରି ହତ୍ୟାରେ ବ୍ୟବହୃତ ତାୱା ସହ ମୃତ ଗୋରେଖ କୁମାରଙ୍କର ଜୋତା ମଧ୍ୟ ପୋଲିସ ଜବତ କରି ବିହାର ନେଇଛି | ଅଭିଯୁକ୍ତ ଅଜୟ କୁମାର କହିବା ମୁତାବକ ସ୍ଥାନୀୟ କୁଜଙ୍ଗ ଅତିରିକ୍ତ ତହସିଲଦାର ଙ୍କ ଉପସ୍ତିତିରେ ଜେସିବି ସାହାଯ୍ୟରେ ନର୍ଦମା ମଧ୍ୟ ଖୋଳି ପୋଲିସ ନାକେଦମ ହେଇଚି | କିନ୍ତୁ ତଦନ୍ତ ସମୟରେ କମ୍ପାନୀର ମାଲିକ ଏବଂ କର୍ମଚାରୀ କେହି ପୋଲିସ ଆଗକୁ ଆସୁନଥିବା ବେଳେ ଏମିତି କଣ ହେଲା କେଜାଣି , ରାତି ଅଧାରେ କମ୍ପାନୀ ମାଲିକ ଯାଇ ପୋଲିସ ପାଖରେ ପହଁଚିଲେ ଓ ଦେହ ଖରାପ କହି ଚାଲି ଆସିଲେ ବୋଲି ମଧ୍ୟ ଚର୍ଚା ହେଲା | ଏପଟେ ମୃତ ଗୋରେଖ ଙ୍କର ବୃଦ୍ଧ ପିତାମାତା ପୁଅକୁ ନପାଇ ଦୀର୍ଘ ତିନିମାସ କାଳ ପାରାଦୀପ ରେଳ ଷ୍ଟେସନରେ ସୋଇ ଖୋଜି ଖୋଜି ନାକେଦମ ହେଲେ | ତଥାପି ତଦନ୍ତ କେଉଁଠି ବାଟବଣା ହେଲା କେଜାଣି ଆଉ କେହି ମୃତ ଗୋରେଖଙ୍କର ମୃତଦେହକୁ ଖୋଜୁନାହନ୍ତି | ହତ୍ୟାଭଳି ଏକ ଜଘନ୍ୟ ଅପରାଧରେ ଅଧାରୁ ସମସ୍ତେ ଚୁପ ହୋଇ ରହିଯିବା କଉଠି ନା କଉଠି ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସତରେ କଣ ଗୋରେଖଙ୍କୁ ହତ୍ୟା କରାଯାଇଛି , ନା ଗୋରେଖଙ୍କୁ କଉଠି ଲୁଚାଇ ରଖା ଯାଇଛି | ଯଦି ଗୋରେଖଙ୍କୁ ହତ୍ୟା କରାଯାଇଛି ତେବେ ତାଙ୍କ ମୃତଦେହ ନେଲା କିଏ ? ଅଜୟ କଣ ଗୋରେଖଙ୍କର ହତ୍ୟାକାରୀ କି ? ଯଦି ସେ ହତ୍ୟାକାରୀ ତେବେ ସେ ହତ୍ୟାକରୀ ମୃତଦେହକୁ କମ୍ପାନୀ ପରିସର ମଧ୍ୟରେ ରଖି ଯାଇଥିବା ବେଳେ ଗୋରେଖଙ୍କ ମୃତଦେହ ସେଠାରୁ ନେଲାକିଏ ? କମ୍ପାନୀ କର୍ତ୍ତୃପକ୍ଷ ମୃତଦେହକୁ କମ୍ପାନୀ ପରିସର ମଧ୍ୟରେ ଦେଖିଲେ ନାହିଁ କିପରି , ଯଦି ଦେଖିଥିଲେ ତେବେ ସେହି ସମୟରେ ସ୍ଥାନୀୟ ପୋଲିସକୁ ଅବଗତ କଲେନାହିଁ କଣପାଇଁ ? ଯେଉଁ କମ୍ପାନୀ ମାଲିକଙ୍କୁ ପୁଲିସଏତେ ଖୋଜୁଥିଲା , ଏମିତି କଣ ହେଲା କେଜାଣି ମାତ୍ର କିଛି ସମୟ ପଚରାଉଚରା କରି ଛାଡିଦେଲା , ତାହା ମଧ୍ୟ ଏକ ପ୍ରଶ୍ନବାଚୀ | ଧୀରେ ଧୀରେ ଗୋରେଖଙ୍କର ହତ୍ୟା ଘଟଣା ଇତିମଧ୍ୟରେ ତିନିମାସ ବିତିବାକୁ ବସିଥିବାବେଳେ ପାରାଦୀପରେ ହତ୍ୟାକାଣ୍ଡ ଘଟିଥିବାବେଳେ ବିହାରରେ ହତ୍ୟା ମାମଲା ରୁଜୁ ହେଲା | ଏବେ ଏହି ଘଟଣାର ଖୁଲାସା ହେବ କି ନାହିଁ , କିମ୍ବା ସବୁଦିନ ପାଇଁ ସେମିତି ଏକ ଘଟଣା ହୋଇ ରହିଯିବ ତାହା କିଏ କହିବ | ଗୋରେଖ ପରିବାରର ଏକମାତ୍ର ରୋଜଗାରିଆ ପୁଅ | ତାଙ୍କ ଉପରେ ତାଙ୍କ ବୃଦ୍ଧ ପିତାମାତା ଓ ପରିବାର ନିର୍ଭର କରୁଥିବାବେଳେ ଏବେ ତାଙ୍କ ମୃତଦେହ ନମିଳିବା ପରିବାରକୁ ଯେତିକି ଆଶ୍ଚର୍ଯ୍ୟ କରିଛି , ସେତିକି ମାତ୍ରାରେ ମଧ୍ୟ ବିହାର ଠାରୁ ଓଡିଶା ପର୍ଯ୍ୟନ୍ତ ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି |
