ବିଦ୍ୟାଳୟରେ ଶିକ୍ଷକ ଅଭାବ କାରଣରୁ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ।
pragyansila bureau | 28 Jul 2025 | 5 min read | 5 views
ନାଉଗାଁ ( ପି.ଏନ. ଏସ ) : ପାଖେଇ ଆସୁଛି ଦଶମ ବୋର୍ଡ ପରୀକ୍ଷା, ସେଥିରେ ପୁଣି ସରକାର ଘୋଷଣା କଲେଣି ଏହି ଶ୍ରେଣୀରେ ଦୁଇଥର ହେବ ବୋର୍ଡ ପରୀକ୍ଷା। ଏମିତିରେ ବିଦ୍ୟାଳୟ ଗୁଡ଼ିକ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ପାଠପଢାରେ ଉପୂଜୁଛି ସମସ୍ୟା । ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାଂସ ପଞ୍ଚାୟତର ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଉକ୍ତ ବିଦ୍ୟାଳୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକଙ୍କୁ ନେଇ ମୋଟ ନିଯୁକ୍ତ ଅଛନ୍ତି ତିନିଜଣ ଶିକ୍ଷକ । ୬ମାସ ହେଲା ଗଣିତ ଶିକ୍ଷୟତ୍ରୀ ଛୁଟିରେ ଥିବାବେଳେ ଏକ ବର୍ଷ ହେଲା ବିଜ୍ଞାନ, ହିନ୍ଦୀ, ସଂସ୍କୃତ, ଖେଳ ଆଦି ଶିକ୍ଷକ ମାନଙ୍କ ପଦବୀ ଖାଲି । ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଭୋଗୁଥିବା ଅଭିଭାବକ ମାନେ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ଏନେଇ ବିଭାଗକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣଷି ସୁଫଳ ମିଳୁନଥିବାରୁ ଆଜି ଏହି ବିଦ୍ୟାଳୟରେ ଅଭିଭାବକ ମାନଙ୍କ ସହିତ ଛାତ୍ରଛାତ୍ରୀ ମାନେ ଏଠାରେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବାହାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
