ପାରାଦ୍ୱୀପରେ ଭୁବନ୍ଦୋବସ୍ତ ନହେବାରୁ ହିନସ୍ଥା ହେଉଛନ୍ତି ଜମି ମାଲିକ
pragyansila bureau | 20 Jul 2025 | 9 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ବିଜେଡି ସରକାର ଘୋଷଣା କଲେ , କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା , ମାତ୍ର ଲୋକଙ୍କ ସରକାର ଲୋକଙ୍କ ଦିର୍ଘ ଦିନର ସଙ୍ଘର୍ଷ ଓ ଆଶାକୁ ଗୋଟିଏ ଚିଠିରେ ଆଶଙ୍କା ମଧ୍ୟକୁ ଠେଲିଦେଲେ । ଯାହାକୁ ନେଇ ଏବେ ୧୯ ଟି ମୈାଜା ର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ବିଦ୍ରୋହ ଦେଖାଦେଇଛି । ଏଠାରେ ସୂଚନାଯୋଗ୍ୟ ୧୯୩୦ ମସିହା ଠାରୁ କୁଜଙ୍ଗ ତହସିଲ ଅଧିନ ଉଦୟଚାନ୍ଦପୁର, କାଠଗଡା, ଝିମାଣୀ, ପିତାମ୍ବରପୁର, ବାଲିଡିଆ, ବିଜୟଚାନ୍ଦପୁର, କତକୁଲା, ନୂଆଗଡ, ସିଜୁ, ନିହାରୁଣିକନ୍ଦା, ଅଗନାସୀ, ବାହାରତରୀ , ଭିତରତରୀ, କୋଲଡିଆ ପ୍ରଭୃତି ୧୯ ମୈଜା ର ଜମି ଭୂ ବନ୍ଦୋବସ୍ତ ହୋଇନାହିଁ। ଫଳରେ ସ୍ଥାନୀୟ ଲୋକମାନେ ଜମି ଥାଇ ମଧ୍ୟ ନିଜ ପିଲା ମାନଙ୍କ ପାଇଁ ରେସିଡେଣ୍ଟ ସାର୍ଟିଫିକେଟ ଟିଏ କାଢ଼ି ପାରୁ ନାହାଁନ୍ତି । ସ୍ଥାନୀୟ ଲୋକମାନେ ଏହି ଘଟଣାକୁ ନେଇ ୨୦୧୮ ମସିହାରେ ଏକ କମିଟି କରି ତତ୍କାଳିନ ରାଜ୍ୟ ସରକାର ଙ୍କୁ ଅବଗତ କରିବା ସହିତ ଏହାର ସମାଧାନ ପାଇଁ ନିବେଦନ କରିଥିଲେ। ଫଳରେ ତତ୍କାଳୀନ ସରକାର ନିର୍ଦେଶ ଦେଇଥିଲେ ଭୂବନ୍ଦୋବସ୍ତ କରିବା ପାଇଁ । ନିର୍ଦେଶ ପାଇବା ପରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ପାଖାପାଖି ୪୦ ପ୍ରତିଶତ କାମ ହୋଇଛି ବୋଲି କୁଜଙ୍ଗ ତହସିଲଦାର ଜିଲ୍ଲାପାଳ ଙ୍କୁ ଅବଗତ କରିବା ସହିତ କର୍ମଚାରୀ ଅଭାବରୁ କାର୍ଯ୍ୟ ଆଗେଇ ପାରୁନାହିଁ ଜଣାଇଥିଲେ। ଜିଲ୍ଲାପାଳ ବୋର୍ଡ ଅଫ୍ ରେଭିନ୍ୟୁ ଡାଇରେକ୍ଟର ଙ୍କୁ ଚିଠି କଲେ ଏହି କାର୍ଯ୍ୟ ପାଇଁ ଅଧିକ ୨୪ କର୍ମଚାରୀ ଆବଶ୍ୟକ। କିନ୍ତୁ ଏହା ପୂର୍ବରୁ ସରକାର ସର୍ଭେ କାର୍ଯ୍ୟ ରେ ସମସ୍ୟା ଯୋଗୁଁ ସମ୍ବଲପୁର,ଯାଜପୁର , ସୁନ୍ଦରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡା, କଳାହାଣ୍ଡି ରେ ଭୂ ବନ୍ଦୋବସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଙ୍କୁ ଚିଠି ମାଧ୍ୟମରେ ଜଣାଇ ସାରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକେ ଆନ୍ଦୋଳନ ର ଧମକ ଦେଇଛନ୍ତି। ଯଦି ଜିଲ୍ଲାପାଳ ସରକାରଙ୍କ ନିଷ୍ପତ୍ତି ଜାଣି ପାରୁନାହାଁନ୍ତି, ତେବେ ଲୋକଙ୍କ ସରକାର କିଭଳି କାମ କରୁଛି ଏବଂ ଏଥିରୁ ସାଧାରଣ ଲୋକେ କିପରି ନ୍ୟାୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ଜମି ମାଲିକ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଙ୍କୁ ଅବଗତ କରାଯାଇଛି, ଯଦି ୮ ଦିନ ଭିତରେ କିଛି ନିଷ୍ପତ୍ତି ନିଆ ନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ମୌଜା ର ବାସିନ୍ଦା ।
